ରବର୍ଟ ଭଦ୍ରାଙ୍କ ଅଫିସରେ ପହଂଚିଲା ଆୟକର ବିଭାଗ । ବେନାମୀ ସଂପତ୍ତି ନେଇ ଚାଲିଥିବା ମାମଲାରେ ପଚରା ଉଚରା

116

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପହଂଚିଛି । ପୂର୍ବରୁ ତାଙ୍କ ନାମରେ ଥିବା ବେଆଇନ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି  । ଏହା ପୂର୍ବରୁ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗ ନୋଟିସ୍ କରିଥିଲା । ତେବେ କରୋନା ମହାମାରୀ ଯୋଗୁଁ ସେ ଆୟକର ବିଭାଗରେ ହାଜର ହୋଇପାରି ନଥିଲେ । କହିରଖୁ କି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ତାଙ୍କ ନାମରେ ବେଆଇନ ସଂପତ୍ତି ଠୁଳ କରିଥିବା ନେଇ ମାମଲା ଚାଲିଛି । ଏହି ମାମଲାରେ ଆଜି ଆୟକର ବିଭାଗ ତାଙ୍କ ବୟାନ ରେକର୍ଡ କରୁଛି । ଲଣ୍ଡନରେ ଏକ ସଂପତ୍ତି କିଣିବା ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଲଣ୍ଡନର ବ୍ରାୟନଷ୍ଟେନ୍ ସ୍କେୁୟାରରେ ଭଦ୍ରା ୧.୯ ନିୟୁତ ପାଉଣ୍ଡ ଦାମର ସଂପତ୍ତି କିଣିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ଆସିବା ପରେ ଭଦ୍ରାଙ୍କୁ କୋର୍ଟ ତରଫରୁ ଆଗୁଆ ଜାମିନ୍ ପ୍ରଦାନ କରାଯାଇଥିଲା ।
କହିରଖୁ କି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୯ ମସିହା ଜୁଲାଇ ମାସରେ ରବର୍ଟ ଭଦ୍ରାଙ୍କ ଅତି ନିକଟତର କୁହାଯାଉଥିବା ଅସ୍ତ୍ର ଶାସ୍ତ୍ର ଡିଲର ସଂଜୟ ଭଣ୍ଡାରୀଙ୍କ ବିରୋଧରେ ମନି ଲଣ୍ଡ୍ରଂକୁ ନେଇ ମାମଲା ଦାୟର କରିଥିଲା । ଏହି ମନି ଲଣ୍ଡ୍ରିଂ ମାମଲା ସହ ଭଦ୍ରାଙ୍କର କିଛି ସଂପୃକ୍ତି ଅଛି କି ନାହିଁ ସେନେଇ ବି ସିବିଆଇ ଖୋଳତାଡ ଜାରି ରଖିଛି ।