ରମାକାନ୍ତଙ୍କ ଗୋ-ପାଳନକୁ ନେଇ ଏବେ ଚର୍ଚ୍ଚା । ପ୍ରାୟ ପଚାଶଟି ଗାଇ ରଖି ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ଯୋଗାଇଛନ୍ତି ଅର୍ଥ ଉପାର୍ଜନର ମାଧ୍ୟମ ।

176

କନକ ବ୍ୟୁରୋ: ମହାମାରୀ କରୋନା ସାରା ବିଶ୍ୱକୁ ଭୟଭୀତ ଓ ବିଚଳିତ କରୁଥିବା ବେଳେ କିଛି ଶିକ୍ଷଣୀୟ ବାର୍ତା ମଧ୍ୟ ଦେଇଛି । ଏହାର ମୁଖ୍ୟ ବାର୍ତା ହେଉଛି ସ୍ୱାବଲମ୍ବୀ ହେବା । ଆମ ଓଡିଶାରୁ ଲକ୍ଷ ଲକ୍ଷ ଲୋକ ବାହାର ଦେଶ ଓ ରାଜ୍ୟରେ ଜୀବନ ଜିବିକା ପାଇଁ କାର୍ୟ୍ୟରତ ଥିଲେ । କରୋନାର ପ୍ରଥମ ଲହର ଏମାନଙ୍କ ଜୀବନ ଜୀବିକାକୁ ଚହଲାଇ ଦେଇଥିବା ବେଳେ କେତେକ ଜୀବନ ମଧ୍ୟ ହାନୀ ହୋଇଛି । କରୋନାର ଦ୍ୱିତୀୟ ଲହର ମଧ୍ୟ ସମ ଅବସ୍ଥା ସୃଷ୍ଟି କରିଛି । ବହାରକୁ ଯାଇ ଦାଦନ ଖଟିବା ଅପେକ୍ଷା ନିଜେ ନିଜ ଅଂଚଳରେ ସ୍ୱାବଲମ୍ବୀ ହେବା କେତେ ଯେ ଜରୁରୀ ଏହା ଏଥିରୁୂ ସ୍ପଷ୍ଟ ଅନୁମେୟ । ଏମିତି ଏକ ଉଦାହରଣ କଟକ ସଦର ବ୍ଲକ ଆମଣ ପଂଚାୟତ ଅଡାଳିଆ ଗ୍ରାମର ରମାକାନ୍ତ ସେଠୀ ।

ରମାକାନ୍ତ ଏବେ ଗୋ-ପାଳନରୁ ନିଜକୁ ସ୍ୱାବଲମ୍ବୀ କରିବା ସହ ଅନ୍ୟକୁ ମଧ୍ୟ ରୋଜଗାରର ମାଧ୍ୟମ ଯୋଗାଇଛନ୍ତି । ଶିକ୍ଷାଗତ ଯୋଗ୍ୟତା ବିଶେଷ ନଥିଲେ ମଧ୍ୟ ନିଜକୁ ସ୍ୱାବଲମ୍ବୀ କରିବାକୁ ସେ ପଣ କରିଥିଲେ । ଆଉ ଏଥିପାଇଁ ପ୍ରଥମେ ଚାରି ପାଂଚୋଟି ଗାଈ ରଖି ଗୋ-ପାଳନ ଆରମ୍ଭ କରିଥିଲେ । ଏବେ ପ୍ରାୟ ସେ ପଚାଶଟି ଗାଇ ରଖଛନ୍ତି । ଏଥିରୁ ଊପାର୍ଜିତ ଅର୍ଥରେ ସେ ନିଜ ପରିବାର ଚଳାଇବା ସହ ଅନ୍ୟ ଚାରି ପାଂଚୋଟି ପରିବାରକୁ ମଧ୍ୟ ରୋଜଗାର ଯୋଗାଉଛନ୍ତି ।

ଗୋପାଳନରେ ରମାକାନ୍ତଙ୍କୁ ପତ୍ନୀ ସରସ୍ୱତୀ ସହାୟତା କରନ୍ତି । ସ୍ୱାବଲମ୍ବୀ ହେବାକୁ ଗୋ ଚାଷ କରିବା ପାଇଁ ପ୍ରବର୍ତାଇ ଥିଲେ ସରସ୍ୱତୀ । ଉଭୟଙ୍କ ପରିଶ୍ରମ ଓ ଦୃଢ଼ ମନୋବଳ ଯୋଗୁଁ ରମାକାନ୍ତ ଏବେ ଜଣେ ସଫଳ ଗୋ-ଚାଷୀ ହୋଇପାରିଛନ୍ତି ।
ଆଗକୁ ନିଜ ଗୋ-ଶାଳା ବଢ଼ାଇବା ପାଇଁ ଯୋଜନା ରଖଛନ୍ତି ରମାକାନ୍ତ । ଏଥିପାଇଁ ସରକାରୀ ସହାୟତା ପାଇଁ ସେ ଅନୁରୋଧ କରିଛନ୍ତି ।