କରୋନା ବେଳେ କମୁଛି ଗରିବଙ୍କ ଆୟ, ବଢିଚାଲିଛି ଧନୀଙ୍କ ସମ୍ପତ୍ତି । ୧୦୨ ରୁ ବଢି ୧୪୨ ଛୁଇଁଲା ବଡ ବଡ ଧନୀଙ୍କ ସଂଖ୍ୟା ।

119

କନକ ବ୍ୟୁରୋ : କରୋନା ବେଳେ ଗରିବ ଆହରୁ ଗରିବ ହୋଇଛନ୍ତି । ଧନୀଙ୍କ ସମ୍ପତ୍ତି ଆଖିବୁଜା ବଢିଛି । ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାମର ତଥ୍ୟ କହୁଛି, ଦେଶର ୮୪ ପ୍ରତିଶତ ପରିବାରର ରୋଜଗାର ହରାଇଛନ୍ତି, ସେମାନଙ୍କ ଆୟ କମିଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ନିରାପତା କ୍ଷେତ୍ରରେ ବ୍ୟୟ ଅଟକଳ ଗତବର୍ଷ ତୁଳନାରେ ହ୍ରାସ ପାଇଛି । ଗୋଟିଏ ପଟେ ବେକାରୀ ବଢୁଥିବା ବେଳେ ଅନ୍ୟପଟେ ଧନୀଙ୍କ ତାଲିକା ଲମ୍ବା ହୋଇଛି । ଦେଶର ୧୦୦ ଜଣ ଧନୀଙ୍କ ପାଖରେ ରହିଛି ୫୭.୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ।

ଭାରତରେ କମୁଛି ଗରିବଙ୍କ ଆୟ, ବଢ଼ିଚାଲଛି ଧନୀଙ୍କ ସମ୍ପତ୍ତି । କରୋନା କାଳରେ ଦେଶରେ ବଢୁଛି ଆର୍ଥିକ ଅସମାନତା । ଏହି ତଥ୍ୟ ଦେଇଛି ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାମ । ୨୦୨୧ରେ ଭାରତର ଆର୍ଥିକ ସ୍ଥିିତି, ଭାରତୀୟଙ୍କ ରୋଜଗାର ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି,
ଦେଶର ୮୪ ପ୍ରତିଶତ ପରିବାରର ଆୟ କମିଛି
ବଡ଼ ବଡ଼ ଧନୀଙ୍କ ସଂଖ୍ୟା ୧୦୨ରୁ ୧୪୨କୁ ବୃଦ୍ଧି ପାଇଛି
ଅର୍ଥାତ୍ ସେମାନଙ୍କ ପାଖରେ ହଜାର ହଜାର କୋଟି ଟଙ୍କା ରହିଛି
ଦେଶର ୧୦୦ ଧନୀଙ୍କ ପାଖରେ ୫୭.୩ ଲକ୍ଷ କୋଟି ଟଙ୍କା ରହିଛି
୫୦ ପ୍ରତିଶତ ଲୋକଙ୍କ ପାଖରେ ରହିଛି ମାତ୍ର ୬ ପ୍ରତିଶତ ସମ୍ପତ୍ତି

ଧନୀ ତାଲିକାରେ ଚୀନ ଓ ଆମେରିକା ପରେ ଭାରତର ସ୍ଥାନ ତୃତୀୟ ରହିଛି । ଫ୍ରାନ୍ସ, ସ୍ୱିଡେନ୍, ସ୍ୱିଜରଲାଣ୍ଡର ମୋଟ ଧନୀଙ୍କ ସଂଖ୍ୟାଠାରୁ ଭାରତରେ ଅଛନ୍ତି ଅଧିକ ଧନୀ । ତେବେ ମହାମାରୀ ସମୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୮ ଗୁଣ ବଢ଼ିଛି । ସେହିପରି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨ ଗୁଣ ହୋଇଛି ।

ଦେଶରେ କୋଟିପତିଙ୍କ ସମ୍ପତ୍ତି ଏଭଳି ସମୟରେ ବଢିଛି, ଯେଉଁ ସମୟରେ ଲୋକେ କରୋନା ଯୋଗୁଁ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି । କୋଟି କୋଟି ଲୋକ କାମ ହରାଇଛନ୍ତି । କିନ୍ତୁ ଏହି ସମୟ ଭିତରେ ଧନୀଙ୍କ ସମ୍ପତ୍ତି ଯେତିକି ବଢ଼ିଛି ତାହା ୪୦ ପ୍ରତିଶତ ଗରିବଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ ହେବ ବୋଲି ଅକ୍ସଫାମ ରିପୋର୍ଟରେ ପ୍ରକାଶ ପାଇଛି ।

ୱାର୍ଲ୍ଡ ଇକୋନମିକ୍ ଫୋରମର ଡାଭୋସ ଏଜେଣ୍ଡା ପୂର୍ବରୁ ରବିବାର ଦିନ ଅକ୍ସଫାମ ରିପୋର୍ଟ ‘ଇନଇକ୍ୱାଲିଟି କିଲ୍ସ’ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, କରୋନା ସମୟରେ ସ୍ୱାସ୍ଥ୍ୟ ବଜେଟ୍ ୧୦ ପ୍ରତିଶତ ହ୍ରାସ ପାଇଛି । ଶିକ୍ଷା ବ୍ୟୟ ଅଟକଳ ୬ ପ୍ରତିଶତ କମିଛି । ସାମାଜିକ ନିରାପତ୍ତା ସ୍କିମରେ ପୂର୍ବରୁ ମୋଟ ବଜେଟର ୧.୫ ପ୍ରତିଶତ ଥିଲା, ତାହା ଏବେ ୦.୬ ପ୍ରତିଶତକୁ ହ୍ରାସ ପାଇଛି । ମୋଟାମୋଟି କହିବାକୁ କଲେ ମହାମାରୀ ଗରିବଙ୍କ ଉପରେ ଦାଉ ସାଧିଛି, ହେଲେ ମାଲାମାଲ ହୋଇଛନ୍ତି ଧନୀକ ଶ୍ରେଣୀ । ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି ।