ଧୂପକାଠି ପ୍ରସ୍ତୁତ କରି ନିଜେ ହୋଇଛନ୍ତି ସ୍ୱାବଲମ୍ବୀ । ଅନ୍ୟ ମାନଙ୍କ ପାଇଁ ଖୋଲିଛନ୍ତି ରୋଜଗାରର ବାଟ, ସଫଳ ଉଦ୍ୟୋଗୀ ଡମାଇଙ୍କ ପ୍ରେରଣାଦାୟୀ କାହାଣୀ ।

167

କନକ ବ୍ୟୁରୋ : ଧୂପକାଠି ପ୍ରସ୍ତୁତ କରି ସେ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି  । ଏହାସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାରର ମାଧ୍ୟମ  । ଏ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ମାଠପଡ଼ା ଗ୍ରାମର ଜଣେ ସଫଳ ମହିଳା ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ  ।  ଡ଼ମାଇ ନାୟକ  ଧୂପକାଠି ପ୍ରସ୍ତୁତି ଉଦ୍ୟୋଗ କରି ଗାଁକୁ ଦେଇଛନ୍ତି ଏକ ନୂଆ ପରିଚୟ । ଜଙ୍ଗଲରୁ ସଂଗ୍ରହ ହେଉଥିବା ଝୁଣାକୁ  ନିଜେ ଧୂପକାଠି ତିଆରି କରି ବ୍ୟବସାୟ ଆରମ୍ବ କରିଥିଲେ  । ବିନା କେମିକାଲରେ ତିଆରି ହୋଇଥାଏ ଏହି ଧୂପକାଠି  । ଏବେ ଗାଁର ମହିଳାମାନେ ମଧ୍ୟ ଏହି କାମରେ ନିଜକୁ ନିୟୋଜିତ କରି ରୋଜଗାର କରିପାରୁଛନ୍ତି  ।

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ମାଠପଡ଼ା ଗ୍ରାମ । ବିକାଶ କହିଲେ ଗାଁରେ କେବଳ  ଖଣ୍ଡିଏ ସ୍କୁଲ । ଜୀବିକା କହିଲେ  କୁଲି କାମ  କରିବା ସହ ବଣ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରିବା । ହେଲେ ଏହି ଗ୍ରାମର  ଜଣେ ମହିଳା ଡ଼ମାଇ ନାୟକ  ଗାଁକୁ ଦେଇଛନ୍ତି ଏକ ନୂଆ ପରିଚୟ । ପରିବାରର ଆର୍ଥିକ ଅବସ୍ଥାକୁ ପରିବର୍ତନ କରିବାକୁ ଯାଇ  ନିଜେ ସ୍ୱାବଲମ୍ବୀ ହେବା ସହ ଗାଁ  ମହିଳା ମାନଙ୍କୁ କରିଛନ୍ତି ସ୍ୱାବଲମ୍ବୀ ।

ବୋହୂ ହୋଇ ମାଠପଡ଼ା ଗାଁକୁ  ଆସିଥିଲେ ଡ଼ମାଇ । ପରିବାରର ଆର୍ଥିକ ଅବସ୍ଥା ଦେଖି ନିଜେ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଥିଲେ  । ଜଙ୍ଗଲରୁ ସଂଗ୍ରହ ହେଉଥିବା ଝୁଣାକୁ  ନିଜେ ଧୂପକାଠି ତିଆରି କରି ବ୍ୟବସାୟ ଆରମ୍ଭ କଲେ  । ବିନା କେମିକାଲରେ ତିଆରି ହେଉଥିବା ଏହି ଧୂପକାଠିର ଚାହିଦା ବଢିବାରୁ  ଗାଁର ମହିଳା ମାନଙ୍କୁ ଏକାଠି କରି ଡ଼ୋକ୍ରା ସ୍ୱୟଂ ସହାୟକ ଦଳ ଗଠନ କଲେ । ଅଧିକ ବ୍ୟବସାୟ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ରରୁ ତାଲିମ ନେଲେ ।  ଝୁଣା ସହ ମଶା ଧୂପ କାଠି  ମଧ୍ୟ ତିଆରି  କଲେ  । ଚାହିଦା ବଢିଲା । ବ୍ୟବସାୟ ବଢ଼ି଼ିଲା । ଆଖ ପାଖ ଗ୍ରାମରେ ପ୍ରଶିକ୍ଷଣ ପାଇଁ ଡ଼ମାଇକୁ ଡ଼ାକିଲେ । ପ୍ରଶାସନର ଦୃଷ୍ଟି ଆକର୍ଷଣ  ହେଲା । କୋରାପୁଟର ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରବ ଭଳି ରାଜ୍ୟର ପ୍ରତ୍ୟେକ ଜିଲ୍ଳାସ୍ତରୀୟ ମହୋତ୍ସବରେ ପ୍ରଶାସନ ତରଫରୁ ନିମନ୍ତ୍ରଣ ମିଳିଲା । ରାଜଧାନୀ ଠାରୁ ଆରମ୍ଭ କରି ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ବୌଦ୍ଧ, ଯାଯପୁର, କଟକ, ବାଲେଶ୍ୱର, କଟକ, ବଲାଙ୍ଗୀର, ଝାରସୁଗୁଡ଼ା, ନୟାଗଡ଼ ଗୁଣପୁରରେ  ସେ ନିଜର  ବ୍ୟବସାୟକୁ ପହଞ୍ଚାଇଛନ୍ତି ଓ ଏହାସହ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି ।