କନକ ବ୍ୟୁରୋ : ବିନା ତାଲିମରେ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରନ୍ତି ତାହା ପ୍ରମାଣିତ କରିଛନ୍ତି ଭୋଗରାଇ ବ୍ଲକ ବାରବାଟିଆ ପଂଚାୟତ କୁକୁଡ଼ିଆ ଗାଁର ମହିଳାମାନେ ।ଏହି ଗାଁର ଅନେକ ମହିଳା ଏବେ ନଡ଼ିଆ କତାକୁ ବ୍ୟବହାର କରି ଆକର୍ଷଣୀୟ ଗୃହ ଉପକରଣ ପ୍ରସ୍ତୁତ କରୁଛନ୍ତି । ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
କଥାରେ ଅଛି ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବରେ ପରିଣତ ହୋଇଥାଏ । ଆଉ ଏହି ଇଚ୍ଛା ଶକ୍ତିକୁ ପାଥେୟକରି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ପଂଚାୟତ କୁକୁଡ଼ିଆ ଗାଁର ମହିଳାମାନେ ଆଗକୁ ବଢୁଛନ୍ତି । ଏଠାକାର ମହିଳାମାନେ ଆଗରୁ ଘର କାମ ପରେ ବଳକା ସମୟରେ ଘରେ ବସୁଥିଲେ । ହେଲେ ଏବେ ଫୁରସତ ସମୟରେ ନଡ଼ିଆ କତାକୁ ମାଧ୍ୟମ କରି ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଓ ଅରମାସ ଦ୍ୱାରା ମହିଳାଙ୍କୁ ବିଭିନ୍ନ ପ୍ରୋତ୍ସାହନ ମିଳିଛି । ଫଳରେ ଗାଁର ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ପ୍ରଥମେ ନଡ଼ିଆ କତାକୁ ଆଣି ତାକୁ ଶୁଖାଇଥାଆନ୍ତି, ଆଉ ଶୁଖିଲା ପରେ ତାକୁ ରସିରେ ପରିଣତ କରି ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦିଅନ୍ତି । ଶୁଖିଲା ପରେ ସେହି ରଶିକୁ ନେଇ ବିଭିନ୍ନ ପ୍ରକାର ଗୃହ ଉପକରଣ ପ୍ରସ୍ତୁତ କରିଥାନ୍ତି । ସେଥିରେ କରିଡର ମେଟ, ମେସମେଟ, ଫାଇବାର ମେଟ ତିଆରି କରି ବଜାରରେ ବିକି୍ର କରୁଛନ୍ତି ।
୨୦୧୬ ରେ ୪୦ ଜଣ ମହିଳା ଏହି କାମ ଶିଖିବା ପରେ ତିଆରି କରୁଛନ୍ତି ଏହି ସବୁ ସାମଗ୍ରୀ । ପ୍ରଥମେ ପ୍ରତ୍ୟକ ମହିଳା ୫୦୦ ଲେଖାଏଁ ଟଙ୍କା ଦେବା ସହ GPLF ରୁ ୫୦ ହଜାର ଟଙ୍କା ଋଣ କରି ଏହି ଗ୍ରୁପ ଆରମ୍ଭ କଲେ । ଏବେ ୮ ବର୍ଷ ଭିତରେ ଏହି ଗ୍ରୁପର ରୋଜଗାର ୮ ଲକ୍ଷ ଟଙ୍କାରେ ପହଂଚିଲାଣି । ପୁରୁଷଙ୍କ ଉପରେ ନିର୍ଭର ନହୋଇ ନିଜର ଖର୍ଚ୍ଚ ସହ ପରିବାରର କିଛି ଖର୍ଚ୍ଚ ମଧ୍ୟ ତୁଲଉଛନ୍ତି । ତେବେ ଏହି ସବୁ ସାମଗ୍ରୀ ସଂପର୍କରେ ପ୍ରଚାର ପ୍ରସାର ହେଵା ପରେ ଏହାର ଚାହିଦା ବଢ଼ୁଛି । ଏହା ସହ ସ୍ଥାନୀୟ ବ୍ୟବସାୟୀ ଦ୍ୱାରା ନିକଟସ୍ଥ ପଶ୍ଚିମବଙ୍ଗ ବଜାରେ ବିକ୍ରି କରିବା ସହ ପାଖ ଆଖରେ ଅନୁଷ୍ଠିତ ହେଉଥିବା ଛୋଟ ଛୋଟ ମେଳାକୁ ଯାଇ ସେମାନଙ୍କ ସାମଗ୍ରୀ ବିକ୍ରୀ କରୁଛନ୍ତି । ମହିଳାମାନଙ୍କ ଦ୍ୱାରା ନିର୍ମିତ ଏହି ସାମଗ୍ରୀ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗ୍ରାହକମାନଙ୍କର ମନକୁ ଜିଣିପାରିଛି ।