ଶଶିକଳାଙ୍କ ସଂପତି ଉପରେ ଏବେ ବି ଆୟକର ବିଭାଗର ନଜର । ୨ ହଜାର କୋଟି ଟଙ୍କାର ସଂପତି ଜବତ୍…

ପୂର୍ବମାସ ୩ ଶହ କୋଟି ଟଙ୍କାର ସଂପତି ଜବତ

534

କନକ ବ୍ୟୁରୋ : ଆୟକର ବିଭାଗ ବୁଧବାର ଦିନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଶଶିକଳାଙ୍କର ୨ ହଜାର କୋଟି ଟଙ୍କାର ସଂପତି ଜବତ୍ କରିଛି । ତାମିଲନାଡୁର କୋଡାନାଡ ଓ ସିରୁଆଥାବର ଅଞ୍ଚଳରୁ ଏହି ସଂପତି ଜବତ କରାଯାଇଛି । ଆୟକର ବିଭାଗର ଜଣେ କର୍ମଚାରୀ କହିଛନ୍ତି କି ଏହାକୁ ମିଶାଇ ଶଶିକଳାଙ୍କର ମୋଟ ୨ ହଜାର କୋଟିର ସଂପତି ଜବତ୍ ହୋଇସାରିଲାଣି । କେଉଁଠୁ କେତେ ସଂପତି ଜବତ୍ ହୋଇଛି ତାର ସଂପୁର୍ଣ୍ଣ ତଥ୍ୟ ଆୟକର ବିଭାଗ ଦେଇନଥିବା ବେଳେ ପୂର୍ବମାସ ୩ ଶହ କୋଟି ଟଙ୍କାର ସଂପତି ଜବତ ହୋଇଥିବା ସୂଚନା ମିଳିଥିଲା ।

ନ୍ୟୁଜ୍ ଟ୍ରାକ୍ ନାମକ ଏକ ଖବର କାଗଜ ସୂତ୍ର ମୁତାବକ ଜବତ ହୋଇଥିବା ସଂପତି ମଧ୍ୟରେ ରହିଛି ଜୟଲଳିତାଙ୍କ ବେଦ ନିଲୟମ ନିକଟରେ ଥିବା ଜମି । ଯେଉଁ ଜମି ଉପରେ ଶ୍ରୀହରି ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ ତିଆରି ହୋଇଥିଲା । ଯାହାର ନିର୍ଦ୍ଦେଶକ ଶଶିକଳାଙ୍କ ସଂପର୍କୀୟ ଥିଲେ ବୋଲି ଜଣାପଡିଛି । ଜମି ଜବତ ପରେ ଆୟକର ଅଧିକାରୀ କହିଛନ୍ତି କି କମ୍ପାନୀ ପାଖରେ ନା ଥିଲା କିଛି ବ୍ୟବସାୟ ନା କୌଣସି ଅର୍ଥ କାରବାର ।

ପୂର୍ବ ବର୍ଷ ବି ଶଶିକଳାଙ୍କର ୧୫ ଶହ କୋଟିର ସଂପତି ଜବତ କରିଥିଲା ଆୟକର ବିଭାଗ । ଜବତ ହୋଇଥିବା ସଂପତି ଶଶିକଳା ଓ ତାଙ୍କ ସଂପର୍କୀୟଙ୍କ ନାମରେ ରହିଥିଲା । ଏହି ସଂପତିକୁ ବେନାମୀ ଅଧିନିୟମ ଅଧିନରେ ଜବତ୍ କରାଯାଇଥିଲା । ସଂପତି ସଲଗ୍ନ ଚେନ୍ନାଇ, କୋଇମ୍ବାଟୁର, ପୁଡୁଚେରୀ ଏବଂ ତାମିଲନାଡୁର ବିଭିନ୍ନ ସ୍ଥାନରେ ରହିଥିଲା । ଏହି ସଂପତିକୁ ଶଶିକଳା କିମ୍ବା ତାଙ୍କ ସଂପର୍କୀୟ ସରକାରଙ୍କୁ ଦେଇଥିବା ସଂପତି ତାଲିକାରେ ନଥିଲା ।