କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁରରେ ସୁଧ କାରବାରରେ ସଂପୃକ୍ତ ଦୁଇ ମହାଜନ ଗିରଫ । ଅଭିଯୁକ୍ତ ସୁବ୍ରତ ଦାସ ଏବଂ ତ୍ରିବେନ୍ଦ୍ର ଦାସକୁ ପୋଲିସ ଗିରଫ କରିଛି । ନିକଟରେ ପଦ୍ମକେଶରୀପୁରରେ ବୋମା ମାଡ ସାଙ୍ଗକୁ ହିଂସା ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତିଆରି ହୋଇଥିଲା ସ୍ପେଶାଲ ଟିମ । ୨ ଜଣକୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରିଛି ପୁଲିସ ।
ଏହି ଘଟଣାରେ ମୋଟ ୪ଟି ମାମଲା ରୁଜୁ ହୋଇଛି, ଏଥିରେ ଦାଦାବଟି ଆଦାୟ ପାଇଁ ୪ଟି ଏବଂ ମନି ଲଣ୍ଡ୍ରିଂ ପାଇଁ ୨ଟି ମାମଲା ରୁଜୁ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି । ଗାଁରେ ହିଂସାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି । ସୁଧ କାରବାରରୁ ହିଂସା ସୃଷ୍ଟି ହୋଇଥିବା ଜାଣିବାକୁ ପାଇଛି ପୋଲିସ । ସୁଧ କାରବାର କରୁଥିବା ମହିଳା ଓ ପୁରୁଷଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ । ଏମାନେ ମାସିକ ୨୦ ପ୍ରତିଶତ ସୁଧ ଦେଇ ଲୋକଙ୍କୁ ଶୋଷଣ କରୁଥିଲେ ବୋଲି ଜଣାପଡିଛି।
ମାସିକିଆ ସୁଧ ଆଦାୟ ବେଳେ, ଲୋକଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ ଅଭିଯୁକ୍ତ । ଗାଁରେ ଝଗଡା ସୃଷ୍ଟି କରିବା ସହ, ହିଂସାକୁ ଉସୁକାଉଥିଲେ । ଯେଉଁମାନେ ସୁଧ କାରବାର ନାଁରେ ଶୋଷଣ କରୁଥିବା ଲୋକଙ୍କୁ ଚିହ୍ନଟ ସରିଛି । ଏମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରାପଡା, ମୟୁରଭଞ୍ଜରେ ପୋଲିସ ଚଢାଉ କରିଥିଲା । ଯେଉଁମାନେ ସମସ୍ୟା ଭିତରେ ଅଛନ୍ତି ପୁଲିସକୁ ଜଣାଇପାରିବେ । ଲୋକମାନଙ୍କୁ ଥାନାକୁ ଆସି ରିପୋର୍ଟ କରିବାକୁ ଡିସିପି ପ୍ରତୀକ ସିଂହ କହିଛନ୍ତି ।