ସୁନ୍ଦରଗଡ ବିଲେଇମୁଣ୍ଡାରେ ଅଘଟଣ। ଚୋରକୁ ଧରିବା ପାଇଁ ଗୋଡାଉ ଥିବା ବେଳେ ସାମ୍ନାପଟୁ ମାଡିଗଲା ଟ୍ରଲର।

313

କନକ ବ୍ୟୁରୋ: ଚୋର ପାଇଁ ଦୁର୍ଘଟଣା । ଚୋର ସମେତ ୩ ଜଣଙ୍କ ମୃତ୍ୟୁ । ଏମିତି ଏକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅଂଚଳରେ । ବାଙ୍କିବାହାଲ-ଟପରିଆ ରାସ୍ତାର ବିଲେଇମୁଣ୍ଡା ନିକଟ ଛତାବରରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲରେ ଗାଡିରୁ ଟାୟାର ଓ ଅନ୍ୟ ଯନ୍ତ୍ରାଂଶ ଚୋରୀ କରିବା ପାଇଁ ୩ ଜଣ ଚୋର ଆସିଥିଲେ । ଚୋରମାନେ ଗାଡିରୁ ଚୋରି କରୁଥିବା ବେଳେ ସେଠାରେ ନିୟୋଜିତ ଥିବା ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର କର୍ମଚାରୀମାନେ ତାଙ୍କୁ ବାଧା ଦେଇଥିଲେ । ଠିକା ସଂସ୍ଥାର କର୍ମଚାରୀ ଓ ଚୋରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସେହି ସମୟରେ ଚୋରମାନେ ଦୌଡି ପଳାଇବାରୁ କର୍ମଚାରୀମାନେ ତାଙ୍କୁ ଗୋଡାଇଥିଲେ । ଠିକା ସଂସ୍ଥାର ସୁପରଭାଇଜର ଓ ସିକ୍ୟୁରିଟି ଗାର୍ଡ ଚୋରଙ୍କୁ ଗୋଡାଉଥିଲେ । ସେହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବାରୁ ଜଣେ ଚୋର ସହ ଠିକା ସଂସ୍ଥାର ୨ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ ଠିକା ସଂସ୍ଥାର କର୍ମଚାରୀ ମାନସ କୁମାର ରଥ, ପ୍ରିନ୍ସ ନାୟକ । ମାନସଙ୍କ ଘର ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ମହୁଲପାଲିରେ ହୋଇଥିବା ବେଳେ ପ୍ରିନ୍ସଙ୍କ ଘର ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ଉଡୁସୁ ଗାଁରେ । ସେହିଭଳି ଅନ୍ୟ ମୃତକ ଜଣଙ୍କ ହେଉଛନ୍ତି ହେମଗିରି ଥାନା ଅନ୍ତର୍ଗତ ବଲିଙ୍ଗା ଗାଁର ବୁଢା ଚିଟିକି । ବୁଢା ଗାଡିରୁ ଟାୟାର ଓ ପାର୍ଟସ୍ ଚୋରୀ କରିବା ପାଇଁ ଆସିଥିଲେ ବୋଲି ଅଭିଯୋଗ ହୋଇଛି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।