ଲଘୁଚାପ ପ୍ରଭାବରେ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୱେଲମାର୍କର ରୂପ ନେଇଛି ଲଘୁଚାପ, ୨୪ ଘଣ୍ଟାରେ ଅବପାତ, ୪୮ ଘଣ୍ଟାରେ ନେବ ଗଭୀର ଅବପାତର ରୂପ ।

497

କନକ ବ୍ୟୁରୋ : ବର୍ଷାରେ ଭିଜିବ ପାର୍ବଣ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ୱେଲମାର୍କର ରୂପ ନେଇ ଅଧିକ ଘନୀଭୂତ ହେଉଥିବାରୁ ଆସନ୍ତାକାଲି ୨ ଜିଲ୍ଲାକୁ ଅଂରେଜ ଓ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ନିଆଯାଇଥିବା ସାଟେଲାଇଟର ଚିତ୍ର ହିଁ ବୟାନ କରୁଛି ପଶ୍ଚିମ-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କେତେ ବଡ ଆକାରର ରୂପ ନେଉଛି । ଏହା ଅଧିକରୁ ଅଧିକ କେନ୍ଦ୍ରିଭୂତ ହୋଇ ୱେଲମାର୍କର ରୂପ ନେଇ ସାରିଥିବାବେଳେ ଆଗାମି ୨୪ ଘଂଟାରେ ଏହା ଅବପାତ ଏବଂ ୪୮ ଘଂଟାରେ ଗଭୀର ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଉପକୂଳ ଓଡିଶା ଓ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୨୨ ତାରିଖରେ ମୟୂରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୩ରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ଢ଼େଙ୍କାନାଳକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।

ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି..
– ତଳିଆ ଅଂଚଳରେ ବର୍ଷା ପାଣି ଜମିବା ଆଶଙ୍କା ରହିଛି
– ପାହାଡିଆ ଅଂଚଳରେ ଭୁସ୍ଖଳନ ହେବାର ଆଶଙ୍କା ରହିଛି
– ପ୍ରବଳ ବର୍ଷା ଯୋଗୁଁ କଚାଘର ଭାଙ୍ଗିବାର ମଧ୍ୟ ସମ୍ଭାବନା ରହିଛି
– ସହରାଂଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ

ପୂବରୁ ଅକ୍ଟୋବର ମାସରେ ଅଧିକାଂଶ ବାତ୍ୟା ଆସି ଓଡିଶାରେ ବ୍ୟାପକ କ୍ଷତି ଘଟାଇଛି । ତେଣୁ ଏବେ ପୁଣି ଅକ୍ଟୋବର ମାସରେ ଲଘୁଚାପ କେନ୍ଦ୍ରିଭୂତ ହୋଇଥିବାରୁ ଏହାକୁ ଗୁରୁତ୍ୱର ସହ ନେଇ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।