ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଖୁସି ଖବର । ପ୍ରୋତ୍ସାହନ ରାଶି ବଢାଇଲେ ରାଜ୍ୟ ସରକାର ।

997

କନକ ବ୍ୟୁରୋ: ବଢିଲା ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି । ଅକ୍ଟୋବର ୨୦୨୩ରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା କଲେ ରାଜ୍ୟ ସରକାର । ଏମବିକେ, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକାମାନେ ଏଣିକି ୬ହଜାର ୭୫୦ ଟଙ୍କା ବଦଳରେ ୧୦ହଜାର ୭୫୦ଟଙ୍କା ପାଇବେ ।

ସେହିଭଳି କୃଷିମିତ୍ର ଓ ପ୍ରାଣୀମିତ୍ରମାନେ ମାସିକ ୩ହଜାର ୭୫୦ଟଙ୍କା ପାଉଥିବା ବେଳେ ଏହି ରାଶି ୬ହଜାର ୨୫୦ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସିଆରପି-ସିଏମ୍ ଏଣିକି ୩୬ଶହ ବଦଳରେ ୬ହଜାର ୧୦୦ଟଙ୍କା ପାଇବେ ।

ତେବେ ରାଜ୍ୟ ସରକାର ଏବାବଦକୁ ଅତିରିକ୍ତଭାବେ ଖର୍ଚ୍ଚ କରିବେ ୯୬କୋଟି ୫୧ଲକ୍ଷ ଟଙ୍କା । ଏହି ଘୋଷଣା ଦ୍ୱାରା ରାଜ୍ୟର ୫୯ ହଜାର ୫୦୯ଜଣ କର୍ମଚାରୀ ଉପକୃତ ହେବେ । ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ଉତ୍ସାହ ବଢାଇବାକୁ ମୁଖ୍ୟମନ୍ତ୍ରୀ ଏହି ପ୍ରୋତ୍ସାହନ ରାଶି ବଢାଇଛନ୍ତି ।