ସମସ୍ୟା ଦେଖାଇଲା ସମାଧାନର ବାଟ । ୟୁଟ୍ୟୁବରୁ ଶିଖି ବାସି ଫୁଲରୁ ଧୂପକାଠି ତିଆରି କଲେ କଲେଜ ଛାତ୍ର । ଗଞ୍ଜାମର ଶିବଙ୍କୁ ଭୁରିଭୁରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

278

କନକ ବ୍ୟୁରୋ: ସମସ୍ୟା ଭିତରେ ସମାଧାନର ବାଟ ଖୋଜି ଜଣେ ଛାତ୍ର କେମିତି ପାଇଛନ୍ତି ସଫଳତା, ଏହି କାହାଣୀକୁ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବାଦର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଏହି କଥା ସେ କହିବା ପରେ ଚର୍ଚ୍ଚାକୁ ଆସିଛନ୍ତି ହିଂଜିଳିର ଅଖ୍ୟାତ ଗାଁର ଜଣେ କଲେଜ ଛାତ୍ର ଶିବ ପାତ୍ର । ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ସହ ସେ ଆଜି ବ୍ୟବସାୟରେ ପାଇଛନ୍ତି ସଫଳତା ।

ସମ୍ବାଦର ଆୟୋଜିତ ‘ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ’ ଉତ୍ସବରେ ଏହି କଥା କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ଛାତ୍ର କିଭଳି ନିଜ ଉଦ୍ୟମରେ ଧୂପକାଠି ତିଆରି ଶିଖି ନିଜକୁ ସ୍ୱାବଲମ୍ବୀ କରିବା ସହ ଅନ୍ୟମାନଙ୍କ ପାଇଁ ରୋଜଗାରର ବାଟ ଫିଟାଇଛନ୍ତି ତାହା ବର୍ଣ୍ଣନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଗଂଜାମ ଜିଲ୍ଲାର ହିଂଜିଳି ବ୍ଲକର ପୁଡିଙ୍ଗି ଗାଁର ଶିବ ପାତ୍ର ଏବେ ଚର୍ଚ୍ଚାରେ ।

ଲକ୍ଡାଉନ୍ରେ ଶିବ ପାତ୍ରଙ୍କ ପରିବାର ଆର୍ଥିକ ସମସ୍ୟା ଭିତରେ ଛନ୍ଦି ହୋଇଥିଲା । ସ୍ଥିତି ଏପରି ହେଲା ଯେ କଲେଜ ଫି ଦେବା ପାଇଁ ମଧ୍ୟ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିଲା । ତେବେ ଧାରଉଧାର କରି ପୁଅ ପାଇଁ ବାପା ୩ ହଜାର ୫ଶହ ଟଙ୍କା ଯୋଗାଡ କରିଥିଲେ । କିନ୍ତୁ ଏହି ଟଙ୍କାକୁ ଶିବ କଲେଜ ଫି ବାବଦରେ ନଦେଇ ଏଥିରୁ ସେ ତିଆରି କରିଥିଲେ ଧୂପକାଠି । ୟୁଟ୍ୟୁବ୍ରୁ ସେ ଏହି ଧୂପକାଠି ନିର୍ମାଣ ଶିଖିଥିଲେ । ଅଲୋଡା ହୋଇ ଫୋପଡା ହୋଇ ପଡୁଥିବା ବାସିଫୁଲକୁ ଶିବ ସଂଗ୍ରହ କରୁଥିଲେ । ସକାଳୁ ସକାଳୁ ବିଭିନ୍ନ ମନ୍ଦିରକୁ ଯାଇ ସେଠାରୁ ବାସିଫୁଲ ସଂଗ୍ରହ କରୁଥିଲେ ଏବଂ ଏହାକୁ ଶୁଖାଇ ପୁରୁଣା ଖବର କାଗଜ ସହ ମିଶାଇ ନିର୍ମାଣ କରିଥିଲେ ଧୂପକାଠି । ୩ ହଜାର ୫ଶହ ଟଙ୍କାର ଧୂପକାଠି ତିଆରି କରି ସେ ଆରମ୍ଭ କରିଥିଲେ ନିଜ ବ୍ୟବସାୟ ।

ମାତ୍ର ୪ ମାସ ତଳେ ଶିବ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ମାଆ କାଳି ବ୍ରାଂଡରେ ଚାରି ପ୍ରକାର ଧୂପକାଠି ସେ ତିଆରି କରୁଛନ୍ତି । ଏବେ ଏହି କାମରେ ସ୍ଥାନୀୟ କିଛି ମହିଳାଙ୍କ ପାଇଁ ମଧ୍ୟ ସେ ରୋଜଗାରର ବାଟ ଫିଟାଇଛନ୍ତି । ଶିବ ପାତ୍ରଙ୍କ ଏହି ଉଦ୍ୟମ ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର କାହାଣୀ ସାଜିଛି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା ତାଙ୍କ ଭିତରେ ନୂଆ ଉତ୍ସାହ ଭରି ଦେଇଛି ।