ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି । ମୋଦୀଙ୍କୁ କଟାକ୍ଷ କରି ଟ୍ୱିଟ୍ କଲେ ଖଡଗେ । ଏପଟେ ବିରୋଧୀଙ୍କୁ ବି ନିଶାନା କଲେ ମୋଦୀ ।

226

କନକ ବ୍ୟୁରୋ: ରବିବାର ଦିନ ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ସମୟ ଯେତିକି ପାଖେଇ ଆସୁଛି, ଉଦଘାଟନୀ ଉତ୍ସବକୁ ନେଇ ବିବାଦ ସେତିକି ତେଜିବାରେ ଲାଗିଛି । ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ଦାବି କରିବା ପରେ ଏହି ପ୍ରସଙ୍ଗରେ ଏକାଠି ହୋଇଛନ୍ତି ବିରୋଧୀ । ସମାରୋହ ଉତ୍ସବକୁ ୨୦ଟି ରାଜନୈତିକ ଦଳ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ଟ୍ୱିଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ ଲେଖିଛନ୍ତି,“ମୋଦୀଜୀ, ସଂସଦ ହେଉଛି ଲୋକଙ୍କ ଦ୍ୱାରା ସ୍ଥାପିତ ଗଣତନ୍ତ୍ରର ମନ୍ଦିର । ରାଷ୍ଟ୍ରପତି ପଦ ସଂସଦର ପ୍ରଥମ ଅଙ୍ଗ । ଆପଣଙ୍କ ସରକାରର ଅହଙ୍କାର ସଂସଦୀୟ ବ୍ୟବସ୍ଥାକୁ ଧ୍ୱଂସ କରିଦେଇଛି । ୧୪୦ କୋଟି ଭାରତୀୟ ଚାହାଁନ୍ତି ଦେଶର ରାଷ୍ଟ୍ରପତି ସଂସଦ ଭବନର ଉଦଘାଟନ କରନ୍ତୁ । ଏହି ଅଧିକାର ଛଡ଼ାଇ ନେଇ ଆପଣ କ’ଣ ଦର୍ଶାଇବାକୁ ଚାହୁଁଛନ୍ତି ।”

ତେବେ ନୂଆ ସଂସଦ ଭବନକୁ କିଏ ଉଦଘାଟନ୍ କରିବ, ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ପିଆଇଏଲ୍ । ରାଷ୍ଟ୍ରପତି ସଂସଦ ଭବନକୁ ଉଦଘାଟନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରାଯାଇଛି ।

ସେପଟେ ବିରୋଧୀଙ୍କୁ ଇସାରା ଇସାରାରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ଅଷ୍ଟ୍ରେଲିଆରେ ଭାରତୀୟ ସମୁଦାୟ ଆୟୋଜିତ କରିଥିବା କାର୍ଯ୍ୟକ୍ରମରେ ଉଭୟ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଓ ପୂର୍ବ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ଶାସକ ଓ ବିରୋଧୀ ଦଳ ଏକାଠି ଏହି ସମାରୋହରେ ସାମିଲ ହେବା ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଥିଲା । ତେବେ କାହିଁକି ଗାନ୍ଧୀ ଜୟନ୍ତୀରେ ସଂସଦ ଭବନ ଉଦଘାଟନ କରାନଯାଇ ସବରକରଙ୍କ ଜୟନ୍ତୀରେ ଉଦଘାଟନ କରିବା ପାଇଁ ସ୍ଥିର ହୋଇଛି ଏ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ରସିଦ୍ ଅଲ୍ଭୀ । ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ର ବା ସମ୍ବିଧାନ ଦଳୀୟ ବିଷୟ ନୁହେଁ, ତେଣୁ ଏହି ପ୍ରସଙ୍ଗରେ ରାଜନୀତି କରିବା ଉଚିତ ନୁହେଁ ।

କିଏ ସଂସଦ ଭବନକୁ ଉଦଘାଟନ କରିବ, ଏହାକୁ ନେଇ ରାଜନୈତିକ ଦଳଗୁଡିକ ଭାଗ ଭାଗ ହୋଇ ଯାଇଛନ୍ତି । କଂଗ୍ରେସ ସମେତ ଟିଏମସି, ଆପ୍, ଆରଜେଡି, ଜେଡିୟୁ, ସମାଜବାଦୀ ପାର୍ଟି ଭଳି ପ୍ରାୟ ୨୦ ରାଜନୈତିକ ଦଳ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ଦାବି କରି ସମାରୋହକୁ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଏପଟେ ବିଜେଡି, ୱାଇଏସଆର୍ କଂଗ୍ରେସ, ଟିଡିପି, ବିଏସପି ଭଳି ରାଜନୈତିକ ଦଳ ସମାରୋହରେ ସାମିଲ ହେବେ ବୋଲି ସମ୍ମତି ଜଣାଇଛନ୍ତି ।