ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଜାନୁଆରୀ ୧୨ରୁ ଆରମ୍ଭ ହେବ ହୋମଯଜ୍ଞ

109

କନକ ବ୍ୟୁରୋ: ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠାର ଶ୍ରେୟ ନେଇ, ହିନ୍ଦୁ ଭୋଟ୍ ଧ୍ରୁବିକରଣର ଯୋଜନା ରଖିଛନ୍ତି ମୋଦୀ ସରକାର । ବର୍ଷ ବର୍ଷ ଧରି ଯେଉଁ ପ୍ରକଳ୍ପ ସ୍ୱରୂପ ନେଇପାରୁନଥିଲା, ତାକୁ ବିଜେପିର ସଂକଳ୍ପ ପୂରଣ କରିପାରିଛି । ଏହି କଥାକୁ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ର ସରକାର । ତେଣୁ ରାଜ୍ୟରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଭୋଟ୍ ଧୃବିକରଣର ପ୍ରୟାସ ଆରମ୍ଭ ହୋଇଛି । କୁହାଯାଉଛି, କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ଭବ୍ୟ ଆକାରରେ କରିବାକୁ ଚାହୁଁଛନ୍ତି । ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ହେବ । କିନ୍ତୁ ୧୨ ତାରିଖରୁ ୫ ଦିନ ଧରି ଚାଲିବ କାର୍ଯ୍ୟକ୍ରମ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାମ ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଜଗନ୍ନାଥ ବଲ୍ଳଭରେ ହେଉଥିବା ମଲ୍ଟି ଲେବଲ୍ ପାର୍କିିଂ, ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ, ୩୭ ଶହ ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର, ୧୮୪ଟି ଦୋକାନ, ୧୪୨୦ କାର ପାର୍କିଂ, ୨ ଶହ ଦୁଇ ଚକିଆ ଯାନ ପାଇଁ ପାର୍କିଂ କାମ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରକଳ୍ପ ପ୍ରତିଷ୍ଠା, ପୂଜା ଓ ଲୋକାର୍ପଣ ନେଇ ବୈଠକ ବସିବା ପୂର୍ବରୁ ସମୀକ୍ଷା କରିଛନ୍ତି ଗଜପତି । ସମୀକ୍ଷା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସେତିକି ଉଷୁମ ହେବାରେ ଲାଗିଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଭବ୍ୟ ଓ ବିଶାଳ ଆକାରରେ କରାଯିବ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ । ୨୦୨୪ ନିର୍ବାଚନ ପୂର୍ବରୁ ଏଭଳି ଆୟୋଜନ କରି ରାଜନୈତିକ ଫାଇଦା ଉଠାଇବାକୁ ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ଆଉ ଏହାର ୫ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବକୁ ବ୍ୟାପକ ଆକାରରେ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ରାମ ମନ୍ଦିର ନେଇ ରାଜ୍ୟ ବିଜେପି ବେଶ ଉତ୍ସାହିତ ଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୀତି ଗନ୍ଧ ବାରିଛି । ଯାହାକୁ ଖଣ୍ଡନ କରିଛି ବିଜେଡି ।

ଧାର୍ମିକ ଭାବାବେଗକୁ ନେଇ ରାଜନୀତି ଭାରତ ପାଇଁ କିଛି ନୂଆ ନୁହେଁ । ରାମମନ୍ଦିର ନେଇ ଯେମିତି ସାରା ଦେଶରେ ଭାବପ୍ରବଣତା ରହିଛି, ଜଗନ୍ନାଥଙ୍କୁ ନେଇ ସେମିତି ରହିଛି ଓଡ଼ିଶାବାସୀଙ୍କ ଭାବାବେଗ ।