କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ବାକି ଥିବା ନିର୍ମାଣ କାର୍ଯ୍ୟ ବି ଜୋରସୋରରେ ଚାଲିଛି । ଏଥିସହ ଲୋକାର୍ପଣ ଉତ୍ସବରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ନିର୍ଘଂଟ ଶେଷ ହୋଇଛି । ଏବେ ଅପେକ୍ଷା ସେହି ଶୁଭ ଦିନକୁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପ୍ରତ୍ର ବଂଟା ଚାଲିଛି, ବାକି ଥିବା ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି । ଏହାରି ଭିତରେ ଲୋକାର୍ପଣ ଉତ୍ସବ ପାଇଁ ବଡଦାଣ୍ଡରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ଚୂଡାନ୍ତ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ପରିଚାଳନା ବୈଠକରେ ଏଥିପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି ।

ନିଷ୍ପତି ଅନୁସାରେ, ଆସନ୍ତା ୧୨ ତାରିଖ ସଂଧ୍ୟାରେ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । ୧୭ ତାରିଖରେ ପୂର୍ଣ୍ଣାହୁତି ହେବ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।

ଏହି ଉତ୍ସବରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାକୁ ଥିବାରୁ ଏହାକୁ ସଫଳତାର ସହ ସମ୍ପନ୍ନ କରିବାକୁ ଗୁରୁତ୍ୱ ଦେଉଛି ପ୍ରଶାସନ । ବିଶେଷ କରି, ଏହି ସମୟରେ ଭିଡ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁମାନେ ସୁରୁଖୁରରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ପରିକ୍ରମା ପ୍ରକଳ୍ପ ଅଧିନରେ ହୋଇଥିବା ରୂପାନ୍ତରଣକୁ ଦେଖି ପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ ।ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟର ପ୍ରତ୍ୟକ ପରିବାରକୁ ଯୋଡିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।