କନକ ବ୍ୟୁରୋ: ପ୍ରାକୃତିକ ଗ୍ୟାସ ଦ୍ୱାରା ଶବଦାହ ପାଇଁ ନିର୍ମାଣ ହୋଇଥିବା କେନ୍ଦ୍ରର ଉଦଘାଟନ ପାଇଁ ବଣ୍ଟା ଯାଇଥିଲା ନିମନ୍ତ୍ରଣ ପତ୍ର । ନିମନ୍ତ୍ରଣ ପତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ, ବିଏମସି ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ଓ ଗେଲ ଇଣ୍ଡିଆ ଲିମିଟେଡର ଅଧିକାରୀଙ୍କ ନାଁ ରହିଛି । କିନ୍ତୁ ଆଜି ହୋଇଥିବା ଉଦଘାଟନ କାର୍ଯ୍ୟକ୍ରମରେ ମଂଚ ଉପରେ ସମସ୍ତେ ଥିବାବେଳେ ନାହାନ୍ତି ବିଏମସି ମେୟର ସୁଲୋଚନା ଦାସ ।

Advertisment

ଏଭଳି ଏକ ଆଧୁନିକ ପ୍ରକଳ୍ପ ପ୍ରଥମ ଥର ପାଇଁ ରାଜ୍ୟରେ ହେଉଥିଲାବେଳେ ଓ ନିମନ୍ତ୍ରଣ ଥାଇ ମଧ୍ୟ କାର୍ଯ୍ୟକ୍ରମକୁ ବିଏମସି ମେୟର ନଆସିବାକୁ ନେଇ ତେଜିଛି ରାଜନୀତି । କାର୍ଯ୍ୟକ୍ରମକୁ ବିଏମସି ଅବା ସରକାରଙ୍କ ପକ୍ଷରୁ କେହି ନ ଆସିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟ ସରକାରଙ୍କର ଏହା କେଉଁ ପ୍ରକାର ବିବେକ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ । ସମସ୍ତେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏପରିକି ଚାବି ନେବାକୁ କୌଣସି ଅଧିକାରୀ ଆସିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏନେଇ ମେୟର କହିଛନ୍ତି, ନିମନ୍ତ୍ରଣ ରହିଥିଲା କିନ୍ତୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ସେ ଯୋଗଦେଇ ପାରିନାହାଁନ୍ତି ।

୧୬କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ଗେଲ୍ ୩ଟି ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ କେନ୍ଦ୍ର ନିର୍ମାଣ କରୁଥିବା ବେଳେ ଆଜି ପ୍ରଥମେ ଖଣ୍ଡଗିରି ସ୍ଥିତ ଧର୍ମବିହାର ଶ୍ମଶାନ ଠାରେ ଏହାର ଉଦଘାଟନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି । ଏଥିରେ ଶବଦାହ ବ୍ୟବସ୍ଥା, ଶୁଦ୍ଧ ଇନ୍ଧନକୁ ପ୍ରୋତ୍ସାହିତ କରିବା ସହ ବାୟୁମଣ୍ଡଳ ମାନରେ ସୁଧାର ଏବଂ ଅଙ୍ଗାରକ ନିର୍ଗମନ ହ୍ରାସ କରିବ । ଧର୍ମବିହାର କେନ୍ଦ୍ରରେ ଉଦଘାଟିତ ଶବଦାହ କେନ୍ଦ୍ରରେ ଦୁଇଟି ଚୁଲା ରହିଛି । ସିଏନଜି ମଧ୍ୟରେ ଗୋଟିଏ ମୃତଦେହକୁ ଦାହ କରିବାକୁ ଘଣ୍ଟାଏ ସମୟ ଲାଗିବ ।