କନକ ବ୍ୟୁରୋ: ଭାରତୀୟ ରେଳ ସେବାର କାୟାକଳ୍ପରେ ସଂସ୍କାର ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ଆଧୁନିକ ଓ ଦ୍ରୁତ ରେଳ ସେବା ନିଶ୍ଚିତ କରିବା ଲକ୍ଷ୍ୟରେ ୪୧ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରାୟ ୨ ହଜାର ରେଳ ଭିତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଅମୃତ ଭାରତ ଯୋଜନାରେ ଯୋଡ଼ି ହୋଇଛି ୨୭ଟି ରାଜ୍ୟର ୫୫୪ଟି ଷ୍ଟେସନ୍ର ପୁନଃବିକାଶ କାମ । ଯେଉଁଥିରେ ରହିଛି ଓଡ଼ିଶାର ୨୧ଟି ଷ୍ଟେସନ୍ ।

Advertisment

ରେଳ ସେବା କ୍ଷେତ୍ରରେ ମୋଦୀ ଗ୍ୟାରେଂଟିର ନାରା ଦେଇ ପ୍ରଧାନମନ୍ତ୍ରୀ ଯେଉଁ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି, ଏଥିରେ ସାମିଲ୍ ରହିଛି ଓଡ଼ିଶାର ୨୧ଟି ଷ୍ଟେସନ୍ । ରାଜଧାନୀ ଭୁବନେଶ୍ୱରରୁ ଜୟପୁର, ବାଲେଶ୍ୱରରୁ ତାଳଚେର । ଓଡ଼ିଶାର ୨୧ଟି ରେଳ ଷ୍ଟେସନ୍ରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ୍ ମାଧ୍ୟରେ ଯୋଡ଼ି ହୋଇଥିଲେ । ସେହିପରି ତାଳଚେର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଥିଲେ ।

ଅମୃତ ଭାରତ ଯୋଜନା ଅଧୀନରେ ୩୮୬୮ କୋଟି ବ୍ୟୟ ବରାଦରେ ଓଡ଼ିଶାର ୫୭ଟି ଷ୍ଟେସନର ପୁନଃ ନିର୍ମାଣ କରାଯାଉଛି । ଗତବର୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆହୁରି ୨୧ଟି ଷ୍ଟେସନ୍ର ଭିତ୍ତିପ୍ରସ୍ତର ପକାଇଛନ୍ତି ।ଏଥିରେ ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, କେସିଙ୍ଗା, ଝାରସୁୁଗୁଡ଼ା ରୋଡ୍, ସମ୍ବଲପୁର ସହର, ଟିଟିଲାଗଡ଼, ପାରଳାଖେମୁଣ୍ଡି, କୋରାପୁଟ୍, ଜୟପୁର, ବିମଳାଗଡ଼, ଜରୋଲି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ଭଦ୍ରକ, ବେଲପାହାଡ଼ ଏବଂ ବ୍ରଜରାଜନଗର ରହିଛି । ଏହା ସହ ୫୨ଟି ରୋଡ୍ ଓଭର ବିଜ୍ର ଏବଂ ଅଣ୍ଡରପାସ୍ ନିର୍ମାଣର ମୂଳଦୂଆ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରେଳ ଭିତିଭୂମିର ବିକାଶ ନେଇ ସାଧାରଣ ଜନତା ମଧ୍ୟ ବେଶ ଉତ୍ସାହିତ । ସେମାନଙ୍କ କହିବାର କଥା ହେଲା, ଆଗରୁ ହେଉଥିବା ଅସୁବିଧାର ସମାଧାନ ହେବ ଏବଂ ଗମନାଗମନ ସୁବିଧା ହେବ ।