ସରୁଛି କାଉଣ୍ଟଡାଉନ, ଆରମ୍ଭ ହେବ ହକି ମହାକୁମ୍ଭ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ କଟବ ବାରବାଟୀ, ଓଡ଼ିଶାରେ ପହଂଚିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ।

144

କନକ ବ୍ୟୁରୋ : କାଉଣ୍ଟଡାଉନ ସରୁଛି, ଉକ୍ରଣ୍ଠା ବଢୁଛି । ଆଉ କିଛି ସମୟର ଅପେକ୍ଷା । ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ଏଥିପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓଡ଼ିଶାରେ ପହଂଚି ସାରିଛନ୍ତି । ଦମଦାର ଖେଳ ଦେଖିବାକୁ ମିଳିବ । ଖେଳାଳୀଙ୍କ ପାଇଁ ସବୁ ସୁବିଧା ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିବେ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ । ଉଦଘାଟନୀ ଉତ୍ସବ ପାଇଁ ଆସିଛନ୍ତି ଦେଶର ଜଣାଶୁଣା ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ରାତିଯାକ ଏଥିପାଇଁ ରିହର୍ସାଲ କରିଛନ୍ତି ବଲିଉଡ ତାରକା ରଣବୀର ସିିଂହ । ଉଦଘାଟନୀ ଉତ୍ସବରେ ଧମାଲ କରିବେ ବଲିଉଡ୍ ଷ୍ଟାର ରଣବୀର ସିଂହ ଓ ଦିଶା ପଟାନୀ । ସେହିଭଳି ପ୍ରୀତମ୍ଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଦର୍ଶକ । ଅପରାହ୍ନ ୨ଟାରୁ ଷ୍ଟାଡିୟମ୍ ଗେଟ୍ ଖୋଲିସାରିଛି । ୩ଟାରୁ ଉଦଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମକୁ ପୂରା ସଜା ଯାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିବେ । ଏଥିପାଇଁ ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।

ଅନ୍ୟପଟେ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ସାରା ଓଡ଼ିଶା । ଆଜି କଟକର ବାରବାଟୀ ଷ୍ଟାଡିୟମରେ ଗ୍ରାଣ୍ଡ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ମଧ୍ୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଯାଜପୁରରେ ଥିବା ହକି ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଗ୍ୟାଲେରୀର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି । ଲୋକେ ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଏହି ଷ୍ଟାଡିୟମରେ ବସି ଦେଖିପାରିବେ । ଏଥିପାଇଁ ବଡ ବଡ ଏଲଇଡି ଷ୍ଟାଡିୟମରେ ଲଗାଯାଇଛି । ଭିଡକୁ ଦୃଷ୍ଟିରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ସେହିପରି ଗ୍ରାମାଂଚଳରେ ଲୋକମାନଙ୍କ ଏନେଇ ସଚେତନ କରିବାକୁ ଗ୍ରାମ ସଭାର ଆୟୋଜନ କରାଯାଇଛି । ଗ୍ରାମସଭାରେ ଲେକେ ଏଲଇଡି ଟିଭି ମାଧ୍ୟମରେ ବାରବାଟୀରେ ହେବାକୁ ଥିବା ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଦେଖିବାକୁ ବ୍ୟବସ୍ଥା କରାଯାଇଛି । ଏବେ ସାରା ଓଡ଼ିଶାରେ ହକି ଫିଭର ଦେଖିବାକୁ ମିଳିଛି । ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ହକି ବିଶ୍ୱକପକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିବା
ଦେଖିବାକୁ ମିଳିଛି ।