କନକ ବ୍ୟୁରୋ: ଜୟପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ୧୫୯୬ କୋଟିର ୧୧୩ଟି ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ସେହିଭଳି ୧୨୩୫ ଏସଏଚଜି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୫୦ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । ମୋଟ ୧୨,୫୦୦ ମହିଳାଙ୍କୁ ଏହି ଋଣ ଟଙ୍କା ମିଳିଛି ।
ପୂର୍ବରୁ ଗତକାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ୭୫ବର୍ଷ ପୂର୍ତି ଉତ୍ସବର ଠିକ୍ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଅନେକବର୍ଷର ଦାବି ଶେଷରେ ପୂରଣ ହୋଇଥିବାରୁ କଲେଜ କର୍ମଚାରୀ, ପୁରାତନ ଛାତ୍ର ଏବଂ ଏବେର ଛାତ୍ରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ୧୯୪୭ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ ଜୟପୁର ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା । ପରବର୍ତୀ ସମୟରେ ବିକ୍ରମ ଦେବ ମହାବିଦ୍ୟାଳୟ ଭାବେ ନାମକରଣ କରାଯାଇଥିଲା । ସ୍ନାତକ ତଥା ସ୍ନାତକୋତର ଶିକ୍ଷା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଏହି ସରକାରୀ ମହାବିଦ୍ୟାଳୟ ଉପରେ ନିର୍ଭର କରୁଆସୁଛନ୍ତି । ୨୦୦୫ରେ ସ୍ୱୟଂଶାସିତ ମାନ୍ୟତା ମିଳିବା ସହ ଗତ କିଛିବର୍ଷ ମଧ୍ୟରେ ଅନେକ ନୂଆ ପାଠ୍ୟକ୍ରମ ଆରମ୍ଭ ହୋଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଏହି ନୂଆ ବିଶ୍ୱବିଦ୍ୟାଳୟକୁ ଅଧୀନକୁ ଆସିବ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/FoBpO0BakAADJ3A.jpg)