ନିର୍ବାଚନ ଆଗରୁ ଉଦଘାଟନ ସରିଛି, ହେଲେ ପ୍ରକଳ୍ପରୁ ତାଲା ଫିଟିନି: ଜୟପୁରରେ କାମରେ ଆସୁନି ସାଇନ୍ସ ପାର୍କ, ଆଇଟି ପାର୍କ ଓ ସ୍ପୋର୍ଟସ କମ୍ପଲେକ୍ସ

Advertisment
ନିର୍ବାଚନ ଆଗରୁ ଉଦଘାଟନ ସରିଛି, ହେଲେ ପ୍ରକଳ୍ପରୁ ତାଲା ଫିଟିନି: ଜୟପୁରରେ କାମରେ ଆସୁନି ସାଇନ୍ସ ପାର୍କ, ଆଇଟି ପାର୍କ ଓ ସ୍ପୋର୍ଟସ କମ୍ପଲେକ୍ସ

କନକ ବ୍ୟୁରୋ: ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ଓ ଖେଳକୁଦରେ ସହରୀ ସୁବିଧା ଯୋଗାଇବା ପାଇଁ କୋରାପୁଟ ଜିଲ୍ଳାର ଜୟପୁର ଠାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ସାଇନ୍ସ ପାର୍କ, ଆଇଟି ପାର୍କ ଓ ସ୍ପୋର୍ଷ୍ଟସ କମ୍ପ୍ଳେକ୍ସ। କିନ୍ତୁ ଦୁର୍ଭାଗ୍ୟର କଥା ଉଦଘାଟନର ବର୍ଷେ ବିତି ଯାଇଥିଲେ ମଧ୍ୟ ସବୁଠି ପଡ଼ିଛି ତାଲା। ଏବେ ଅସମାଜିକ ଲୋକଙ୍କ ଆଡ଼ାସ୍ଥଳି ପାଲଟିବା ସହ କୋଟିକୋଟି ଟଙ୍କା ସମ୍ପତି ନଷ୍ଟ ହେବାକୁ ବସିଲାଣି।

ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ହେବ। ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଜ୍ଞାନକୌଶଳ ସୁବିଧାରେ ଆହରଣ କରିପାରିବେ। ସେହି ଉଦେଶ୍ୟରେ ୬ ଏକର ଜମିରେ ୬ କୋଟିରୁ ଉର୍ଦ୍ଧ ଟଙ୍କାର ସାଇନ୍ସ ପାର୍କ ନିର୍ମାଣ ହୋଇଛି। ସେହିପରି କମ୍ପ୍ୟୁଟର ଶିକ୍ଷା ପାଇଁ ୪ ଏକର ଜାଗାରେ ୮ କୋଟିର ଆଇଟି ପାର୍କ ହୋଇଛି। କେବଳ ଏତିକି ନୁହେଁ, ଆଧୁନିକ ଢ଼ଙ୍ଗରେ ଖେଳକୁଦ ପାଇଁ ୧୫ ଏକର ଜାଗାରେ ୪୮ କୋଟିରେ ତିଆରି ହୋଇଛି ସ୍ପୋର୍ଟ୍ସ କମ୍ପ୍ଳେକ୍ସ। ସେଥିରେ ଅଛି ସୁଇମିଂ, ଜିମିନାଷ୍ଟିକ, ବ୍ୟାଡମିଣ୍ଟନ, ଭଳିବଲ, ଫୁଟବଲ, ଟେନିସ, କ୍ରିକେଟ ଖେଳ ପାଇଁ ବ୍ୟବସ୍ଥା ରହିଛି। ହେଲେ ଏସବୁ ଏବେ ତାଲା ଭିତରେ ରହିଛି। କାର୍ଯ୍ୟକ୍ଷମ ନହେବାରୁ ଆଧୁନିକ ଯନ୍ତ୍ରପାତି ଧିରେଧିରେ ନଷ୍ଟ ହେବାକୁ ବସଲାଣି।

ନିର୍ବାଚନ ଆଗରୁ ଭୋଟକୁ ନଜରେ ରଖି ପୂର୍ବ ସରକାର ଉଦଘାଟନ କରିଦେଲେ। ହେଲେ ପରିଚାଳନା ଦାୟିତ୍ୱ କାହାରିକୁ ଦେଲେ ନାହିଁ। ନିର୍ବାଚନ ପରେ ସରକାର ବଦଳିଛନ୍ତି, କିନ୍ତୁ ସାଇନ୍ସ ପାର୍କ, ଆଇଟି ପାର୍କ ଓ ସ୍ପୋର୍ଷ୍ଟସ କମ୍ପ୍ଳେକ୍ସ ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କାମରେ ଲାଗିପାରୁନାହିଁ। ଚଳିତ ବିଧାନସଭା ଅଧିବେଶନରେ ଏହାକୁ ନେଇ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ବାହିନିପତି। ଅନ୍ୟପଟେ କିଛି ଫାଇଲ କାମ ବାକି ଅଛି, ତାହା ସରିଗଲେ ଖୋଲା ହୋଇଯିବ ବୋଲି କହିଛନ୍ତି, ଦାୟିତ୍ୱରେ ଥିବା ସାଇନ୍ସ ପାର୍କର ଅଧିକାରୀ।

ପୂର୍ବରୁ ଅନେକ ଅଧିକାରୀ ଓ ମନ୍ତ୍ରୀ ଗସ୍ତ କରି ଫେରିଛନ୍ତି। ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ହେବ ବୋଲି ଲୋକଙ୍କ ଆଶା ଦେଖାଇଛନ୍ତି। ହେଲେ ଏଯାଏଁ ପ୍ରକଳ୍ପରେ ତାଲା ଖୋଲୁନାହିଁ। କେବେ କାର୍ଯ୍ୟକ୍ଷମ ତାକୁ ହିଁ ସମସ୍ତଙ୍କ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe