ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ୩୫ହଜାର ହେକ୍ଟର ଜମି ହେବ ଜଳସେଚିତ  

164

କନକ ବ୍ୟୁରୋ: ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହେଉଛି ଜୀବନରେଖା । ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ଜରିଆରେ ମୟୁରଭଞ୍ଜ ଜିଲ୍ଲାର ସାରସକଣା, ବାଙ୍ଗିରିପୋଷୀ, କୁଳିଅଣା, ବାରିପଦା, ଶ୍ୟାମାଖୁଣ୍ଟା, ବଡସାହି, ଶୁଳିଆପଦା ଓ ମୋରଡା ବ୍ଲକର ୨୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯାଇଛି ।

ଏବେ ଆଉ ଅତିରିକ୍ତ ୧୫ହଜାର ୩୫୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟିହେବ । ବାରିପଦା, ବେତନଟୀ, ମୋରଡା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗାଁର ଲୋକେ ଏହାଦ୍ବାରା ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ବାରା ଏହିସବୁ ଅଞ୍ଚଳରେ କୃଷି ଉତ୍ପାଦନ ବଢିବା ସହ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୨୦୨୪ ଜାନୁଆରୀ ସୁଦ୍ଧା ପ୍ରକଳ୍ପ କାର୍ୟ୍ୟ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ବାଘୁଆପାଳ ଡିଷ୍ଟ୍ରିବୁଟାରୀ, ବେତନଟୀ ବ୍ରାଞ୍ଚ କେନାଲର ମାଇନର ଓ ସବ-ମାଇନର ଏବଂ ବଇଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବାରିପଦା ବ୍ଲକର ୨୨ଟି ଗାଁର ୬୫୮୭ ହେକ୍ଟର ଜମି ଜଳସେଚିତ ହେବ । ବେତନଟୀ ଡିଷ୍ଟ୍ରିବୁଟାରୀ ଏବଂ ବଇଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବେତନଟୀ ବ୍ଲକର ୨୩ଟି ଗାଁର ୩୮୦୪ ହେକ୍ଟର ଜମି ଜଳସେଚିତ ହୋଇପାରିବ । ବଇଶିଙ୍ଗା ବ୍ରାଞ୍ଚ କେନାଲ ଏବଂ ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ-ମାଇନର କେନାଲ ଜରିଆରେ ମୋରଡା ବ୍ଲକର ୨୦ଟି ଗାଁର ୨୪୮୬ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ହେବ । ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ ମାଇନର କେନାଲ ଜରିଆରେ ଶୁଳିଆପଦା ବ୍ଲକର ୨୨ଟି ଗାଁର ୧୯୨୮ ହେକ୍ଟର ଜମି ଜଳସେଚିତ ହେବ । ସେହିଭଳି ଜମ୍ଭୀରା ବାମ ମୁଖ୍ୟ କେନାଲ ଜରିଆରେ ରାସଗୋବିନ୍ଦପୁର ବ୍ଲକର ୭ଟି ଗାଁର ୫୪୪ ହେକ୍ଟର ଜମିକୁ ସୃଷ୍ଟି ହେବ ଜଳସେଚନ ସୁବିଧା ।