କନକ ବ୍ୟୁରୋ: ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣକୁ ମିଳିଲା ଅନୁମତି। ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ସିଧାସଳଖ ସରକାରୀ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ଟିକାର ଅପଚୟ ରୋକିବାକୁ ଏପରି ଅଫଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି।

Advertisment

କରୋନା ବିରୋଧରେ ଚାଲିଥିବା ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣର ସୁବିଧା ପାଇବେ। ଏହି ବର୍ଗର ଲୋକମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣରେ କରି ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ଫଳରେ ଅନଲାଇନରେ ସ୍ଲଟ ବୁକିଂରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ସୁବିଧା ପାଇପାରିବେ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପଛରେ ବଡ଼ କାରଣ ରହିଛି। ଅନେକ ସମୟରେ ଟିକାର ଅପଚୟ ଖବର ଆସୁଛି। ତେଣୁ ଟିକାର ଅପଚୟ ରୋକିବାକୁ ଏପରି ଅଫଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି।

ଅନଲାଇନ ପଞ୍ଜିକରଣ କରିଥିବା ବ୍ୟକ୍ତି ଯଦି ଆସିନଥାନ୍ତେ ଓ ଟିକା କେନ୍ଦ୍ରରେ ପର୍ୟ୍ୟାପ୍ତ ପରିମାଣର ଟିକା ବଳିଥାଏ ତାହେଲେ କେନ୍ଦ୍ରରେ ଉପସ୍ଥିତ ଅଧିକାରୀ ଅଫଲାଇନ ପଞ୍ଜିକରଣ ନେଇ ନିଷ୍ପତି ନେଇପାରିବେ। ଏହି ସୁବିଧା କେବଳ ସରକାରୀ ଟିକା କେନ୍ଦ୍ରରେ ଉପଲବ୍ଧ ହୋଇପାରିବ। କୌଣସି ଘରୋଇ ଟିକାକରଣ କେନ୍ଦ୍ରରେ ଏହି ସୁବିଧା ମିଳିବ ନାହିଁ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ଚୂଡ଼ାନ୍ତ ନିଷ୍ପତି ରାଜ୍ୟ ସରକାର ଓ କେନ୍ଦ୍ର ସାଶିତ ଅଂଚଳର ସରକାରଙ୍କ ଉପରେ ଛାଡ଼ିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ଟିକା ନଷ୍ଟ ହେବାକୁ ରୋକା ଯାଇପାରିବ ଏବଂ ଯେଉଁମାନେ ଇଣ୍ଟରନେଟ ଓ ମୋବାଇଲ ବ୍ୟବହାର କରୁନାହାନ୍ତି ତାଙ୍କ ପାଇଁ ଫଳପ୍ରଦ ହେବ।