ଉପକୂଳର ଅପଂହଚ ଇଲାକା : ପୁରୀ ଓ ଖୋର୍ଦ୍ଧାର ୩ଟି ବ୍ଲକରେ ୩୦ ହଜାର ଲୋକଙ୍କ ପାଇଁ ଗମନାଗମନର ଭରସା ଡଙ୍ଗା; ପ୍ରଶାସନିକ ଉଦାସୀନତାରୁ ଅଧପନ୍ତରିଆ ହୋଇ ପଡିରହିଛି ପୋଲ କାମ

152

କନକ ବ୍ୟୁରୋ : ଉପକୂଳର ଅପହଁଚ ଅଂଚଳ । ବର୍ଷା ଆସିଲେ ବଢୁଛି ଦୁଃଖ । ଲୋକେ ହୋଇଯାଉଛନ୍ତି ଜଳବନ୍ଦୀ । ୩୦ ହଜାର ଲୋକଙ୍କ ପାଇଁ ଭରସା ପାଲଟୁଛି ଡଙ୍ଗା । ଖରା ଦିନେ ଯଥା ତଥା ମାଟି ତିଆରି ରାସ୍ତାରେ ଚଳିଯାଉଛି । ହେଲେ ବର୍ଷା ଆସିଲେ ମାଡି ଆସୁଛି ଦୁଃଖ । କାରଣ ବର୍ଷାରେ ଧୋଇଯାଏ ରାସ୍ତା । ଆଉ ଦୟା ନଦୀରେ ପାଣି ବଢିଲେ ଯାତାୟତ ହୋଇଯାଇଥାଏ ବିପଦ ସଙ୍କୁଳ । ଗୋଟିଏ ଡଙ୍ଗା ଭରସାରେ ବିଛିନ୍ନାଂଚଳ ପରି ଜୀବନ ବିତାଉଥିବା ଖୋଦ୍ଧା ଓ ପୁରୀ ଜିଲ୍ଲାର ତିନୋଟି ବ୍ଲକର ଲୋକ । ଡେଲାଙ୍ଗ ,କଣାସ ବ୍ଲକର ଅନେକ ଗାଁ ବିଶେଷ ଭାବରେ ଜଳବନ୍ଦୀ ହୋଇଯାନ୍ତି । ଡେଲାଙ୍ଗ ବ୍ଲକର ସାଉରିଆ ଠାରୁ ଜୋରକଣି ଯିବା ପାଇଁ ରାସ୍ତା ନିର୍ମାଣ ଶେଷ ହୋଇନଥିବାରୁ ଏପରି ଦୁଃଖ ଭୋଗୁଛନ୍ତି ଲୋକେ । ସରକାର ଯୋଜନା ପରେ ଯୋଜନା କରୁଛନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଲୋକଙ୍କ ଦାବି ବ୍ରିଜ ଟିଏ ନିର୍ମାଣ ପାଇଁ ହେଲେ ଏଯାଏଁ ହୋଇପାରିନି । ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ପୋଲ ଟିଏ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।

୨୦୧୭ ମସିହା ସୁଦ୍ଧା କାମ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ୬ ବର୍ଷ ବିତିଥିଲେ ବି ଆଜି ଯାଏଁ କାମ ସରିଲାନି । ବର୍ଷା ଆସିଲେ ବନ୍ଦ ହୋଇଯାଉଛି ପିଲାଙ୍କ ପାଠପଢା । ଲୋକେ କାମ ଧନ୍ଦା ପାଇଁ ବି ଘରୁ ବାହାରକୁ ଆସିପାରୁନାହାନ୍ତି । ଆଶାଦିଦି ରୋଗୀଙ୍କୁ ନେଇ ଆସିବାକୁ ହେଲେ କେବଳ ଡଙ୍ଗା ଭରସା । ଏପରି ଅପହଁଚ ଅଂଚଳକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ପୋଲ ନିର୍ମାଣ କାମ ସରିଲେ ପ୍ରାୟ ୩୦ ହଜାର ଲୋକ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି । ସେପଟେ ତୁରନ୍ତ ପୋଲ ନିର୍ମାଣ କାମ ଶେଷ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡେଲାଙ୍ଗ ବିଡିଓ ।