ଉଦ୍ୟମ ବଳେ ସର୍ବସିଦ୍ଧି: ଚାହିଁଲେ ସବୁ ସମ୍ଭବ, ଚେଷ୍ଟା ଆଗରେ ହାରିଯିବ ଅକ୍ଷମତା

59

କନକ ବ୍ୟୁରୋ: ଚାଲିବାକୁ ଅକ୍ଷମ ତଥାପି ବି ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି । ନିଜ ପ୍ରଚେଷ୍ଟାରେ ଟ୍ୟୁସନ୍ ଓ ରାସ୍ତା କଡରେ ପେଟ୍ରୋଲ ବିକ୍ରି କରି ପରିବାର ପତିପୋଷଣ କରୁଛନ୍ତି । ଟ୍ରାଇ ସାଇକେଲ ସାଜିଛି ରଞ୍ଜିତଙ୍କ ସାହାରା । ସେଇ ଟ୍ରାଇ୍ ସାଇକେଲ୍ଟି ପୁରୁଣା ହୋଇଯାଇଛି । ନୂଆ ଟ୍ରାଇସାଇକେଲ ଟିଏ ପାଇଁ ଅନେକ ଥର ପ୍ରଶାସନକୁ ଗୁହାରି କରି ନିରାସ ହୋଇଥିବା ଦୁଃଖର ସହ କହିଛନ୍ତି ଦିବ୍ୟାଙ୍ଗ ଯୁବକ ।

ରଂଜିତ ଖରା । ନିଜେ ଦିବ୍ୟାଙ୍ଗ, ଚାଲିବାକୁ ଅକ୍ଷମ । କିନ୍ତୁ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ରୋଜଗାରକ୍ଷମ ହୋଇପାରିଛନ୍ତି । ସ୍ୱଳ୍ପ ଆୟ ସତ୍ୱେ ଘରେ ମାଆ ଓ ଦିବ୍ୟାଙ୍ଗ ଭାଇର ଔଷଧ ଖର୍ଚ୍ଚ ବହନ କରୁଛନ୍ତି । ନିଜ ଉପରେ ବିଶ୍ୱାସ ରଖି ଆଗେଇ ଚାଲିଛନ୍ତି । କୋରାପୁଟ ସୁନାବେଡା ପୌରାଂଚଳର କଳାହାଣ୍ଡି କଲୋନିରେ ରହୁଛନ୍ତି ଦିବ୍ୟାଙ୍ଗ ରଞ୍ଜିତ ଖରାଙ୍କ ପରିବାର ।

ରଂଜିତ୍ଙ୍କ ମାଆ ଅଜଣା ରୋଗରେ ପୀଡ଼ିତ । ବଡ଼ ଭାଇ ପକ୍ଷାଘାତରେ ପୀଡିତ । ରଂଜିତ୍ ମଧ୍ୟ ଦିବ୍ୟାଙ୍ଗ । କିନ୍ତୁ ସେ ପୁରା ପରିବାରର ଆର୍ଥିକ ମେରୁଦଣ୍ଡ । ପିଲାଙ୍କୁ ଟ୍ୟୁସନ୍ କରିବା ସହ ରାସ୍ତା କଡ଼ରେ ପେଟ୍ରୋଲ୍ ବିକୁଛନ୍ତି । ଆଉ ସବୁ କାମରେ ତାଙ୍କୁ ସହଯୋଗ କରୁଛି ଟ୍ରାଇ ସାଇକେଲ୍ । ଅଟୋ ଭଡ଼ା କରି ସେମିଳିଗୁଡ଼ା ପେଟ୍ରୋଲ ପମ୍ପରୁ ଏକ ଜାରରେ ପେଟ୍ରୋଲ ଆଣନ୍ତି । ଖରା, ବର୍ଷା, ଶୀତ, କାକର ସବୁବେଳେ ରାସ୍ତାକଡ଼ରେ ଗ୍ରାହକଙ୍କୁ ଅପେକ୍ଷା କରନ୍ତି । ରଞ୍ଜିତ ବସୁଥିବା ରାସ୍ତା ଦେଇ ଅନେକ ନେତା ଯିବା ଆସିବା କରନ୍ତି, କିନ୍ତୁ ଦୁଃଖର ବିଷୟ ତାଙ୍କ ଉପରେ କାହାରି ନଜର ପଡିନାହିଁ । ଦୈନିକ ୨୦ରୁ ୨୫ ଲିଟର ପେଟ୍ରୋଲ ବିକି, ୨ରୁ ୩ ଶହ ଟଙ୍କା ରୋଜଗାର କରନ୍ତି । ସେଥିରେ ମାଆ ଓ ଭାଇଙ୍କ ଔଷଧ ଖର୍ଚ୍ଚ ଉଠାଉଛନ୍ତି ।

ପରିବାରର ଦୁଃଖ ଦେଖି, ସାନ ଭାଇ ଦାଦନ ଖଟିବାକୁ ଯାଇଛି । ସରକାରୀ ସହାୟତା କହିଲେ ଦିବ୍ୟାଙ୍ଗ ଭତା ଓ ଚାଉଳ ମିଳୁଛି । କିନ୍ତୁ ଘର ଖଣ୍ଡେ ନଥିବା ଯୋଗୁଁ ଭଙ୍ଗା ଟିଣ ଘରେ ୩ ପ୍ରାଣୀ ଦିନ କାଟୁଛନ୍ତି । ଗୋଟେ ନୂଆ ଟ୍ରାଇ ସାଇକେଲ ଯୋଗାଇ ଦେବା ପାଇଁ ବାରମ୍ବାର ଏ ଅଫିସରୁ ସେ ଅଫିସ ଧାଉଁଛନ୍ତି । ହେଲେ କେହି ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ।