କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ଆଗକୁ ଥିବା ବେଳେ ଦୁଇ ବରିଷ୍ଠ ନେତା ବିଜେପି ଛାଡିବା ପରେ ସେମାନଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର । କେଉଁ ଦଳରେ ସାମିଲ ହେବେ ବିଜୟ ଓ ଦିଲ୍ଲୀପ । ପ୍ରତିଷ୍ଠାତା ସଦସ୍ୟ ଥିବା ଏହି ଦୁଇ ନେତା ପୁଣି ଫେରିବେ କି ବିଜେଡି ? ଏପଟେ ଇସ୍ତଫା ପରେ ୧୫ ଦିନ ପାଇଁ ବାହାରକୁ ଚାଲିଯାଇଛନ୍ତି ଦିଲ୍ଲୀପ ରାୟ । ତାଙ୍କ ଫେରିବା ପରେ ହିଁ ଫିଟିବ ଗୁମର ।
ବିଜେପିକୁ ବାଏ ବାଏ କରିଥିବା ଦିଲ୍ଲୀପ ଓ ବିଜୟଙ୍କ କ’ଣ ହେବ ଆଗାମୀ ରଣନୀତି? ପୁଣି ବିଜେଡିକୁ ଫେରିବେ କି ଦୁଇ ବରିଷ୍ଠ ନେତା? ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଦୁଇ ତୁଙ୍ଗ ନେତାଙ୍କୁ ନେଇ ରାଜ୍ୟ ରାଜନୀତିରେ କିଛି ଏହିଭଳି ସମ୍ଭାବନା ଚାରିପାଖେ ଘୁରିବୁଲୁଛି ଚର୍ଚ୍ଚା । କାରଣ ବିଜୁ ବାବୁଙ୍କ ବେଶ ଘନିଷ୍ଠ ଥିଲେ ଏହି ଦୁଇ ନେତା । ବିଜୁଙ୍କ ମନ୍ତ୍ରିମଣ୍ଡଳରେ ଜଳସେଚନ ମନ୍ତ୍ରୀ ଥିଲେ ବିଜୟ ମହାପାତ୍ର । ସେହିପରି ବିଜୁ ବାବୁଙ୍କ ଅତି ନିକଟତର କୁହାଯାଉଥିବା ଦିଲ୍ଲୀପଙ୍କ ନିକଟରେ କଟିଥିଲା ତାଙ୍କ ଶେଷ ସମୟ ।
ଆଉ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶାର ରାଜନୀତିର ଧାର ଧରିନଥିବା ନବୀନ ପଟ୍ଟନାୟକଙ୍କୁ ଆଣି ଏକ ଆଂଚଳିତ ଦଳ ଗଠନର ମୂଳଦୁଆ ପକାଇଥିଲେ ଏହି ଦୁଇ ନେତା । ଅବଶ୍ୟ ପରେ ଅତି ଅପ୍ରୀତିକର ପରିସ୍ଥିତିରେ ଦୁଇ ନେତାଙ୍କୁ ଦଳ ବାହାର ରାସ୍ତା ଦେଖିବାକୁ ପଡିଥିଲା । ହେଲେ ଅତୀତର ସେହି ତିକ୍ତ ଅନୁଭୂତିକୁ ଭୁଲି ଆଗକୁ ବଢିବା ପାଇଁ ନିଷ୍ପତି କରିପାରନ୍ତି ଉଭୟ ବିଜୟ ଓ ଦିଲ୍ଲୀପ । ବିଜେପିରୁ ଇସ୍ତଫା ଦେବା ପରେ ୧୫ ଦିନ ପାଇଁ ବାହାରକୁ ଚାଲିଯାଇଛନ୍ତି ଦିଲ୍ଲୀପ ରାୟ । ଫେରିବା ପରେ ତାଙ୍କସହ ଆଲୋଚନା କରି ଓଡିଶାର ସାମୁହିକ ସ୍ୱାର୍ଥ ଓ ବିକାଶ ନେଇ ନିଜର ରାଜନୈତିକ ନିଷ୍ପତି ବାବଦରେ ଅବଗତ କରିବେ ବୋଲି କହିଛନ୍ତି ବିଜୟ ମହାପାତ୍ର ।
ଆଉ ଏହାରି ଭିତରେ ଉଭୟ ବିଜୟ ଓ ଦିଲ୍ଲୀପଙ୍କୁ ନେଇ ନୂଆ ରାଜନୈତିକ ସମୀକରଣର ଚର୍ଚ୍ଚା ଜୋର ଧରିଛି ।
- କଂଗ୍ରେସ ବିରୋଧୀ ଭାବେ ଜଣାଶୁଣା ଦୁଇ ନେତା ହାତ ଧରିବା ସମ୍ଭାବନା କମ୍
- ଏକ ନୂଆ ଦଳ ଗଢିବା କଥା ଚିନ୍ତା କରିବେ କି ବିଜୟ ଓ ଦିଲ୍ଲୀପ?
- ଅନ୍ୟ ଛୋଟଦଳ ସହ ମିଶି ରାଜ୍ୟରେ ବିକଳ୍ପ ସାମୁଖ୍ୟ ଗଢିବାକୁ କରିବେ ରଣନୀତି?
- ନିଜ ନିଜ କ୍ଷେତ୍ରରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିବେ?
- ବିଜେଡିକୁ ଫେରିଯିବା ପାଇଁ ନିଷ୍ପତ୍ତି କରିବେ କି ଉଭୟ ବିଜୟ ଓ ଦିଲ୍ଲୀପ?
- ଅତୀତରେ ଟିକେଟ୍ କାଟିଥିବା ନବୀନ ଏମାନଙ୍କୁ ଆପଣେଇ ନେବେ କି?
- ବିଜେପିକୁ ଚେକ୍ ଦେବାଲାଗି ଏଭଳି ସମ୍ଭାବନା ଉପରେ ବିଚାର କରିବ ବିଜେଡି?
ଦୀର୍ଘ ଦୁଇ ଦଶନ୍ଧି ପରେ ସକ୍ରିୟ ରାଜନୀତିକୁ ଫେରିଥିବା ଦିଲ୍ଲୀପ ରାୟଙ୍କ ପାଇଁ ୨୦୧୯ରେ ଏକ ସୁରକ୍ଷିତ ଶିବିରର ଆବଶ୍ୟକତା ରହିଛି । ସେହିପରି ବିଧାନସଭାକୁ ଫେରିବାର ସ୍ୱପ୍ନ ପୂରଣ ଲାଗି ବିଜୟଙ୍କୁ ମଧ୍ୟ ବିଜେପି ବିରୋଧରେ ଏକ ଶକ୍ତିଶାଳୀ କ୍ୟାମ୍ପର ଆବଶ୍ୟକତା ରହିଛି । ହେଲେ ଯେଉଁଭଳି ଭାବରେ ୨୦୦୦ ମସିହାରେ ବିଜୟଙ୍କ ଟିକେଟ କଟିଥିଲା ଓ ବିଜେଡିରେ ଗୋଟିଏ ଗୋଷ୍ଠୀର ବିରୋଧ ସତ୍ୱେ ରାଜ୍ୟସଭାକୁ ନିର୍ବାଚିତ ହୋଇଗଲେ ଦିଲ୍ଲୀପ ଏବଂ ପରେ ଦଳରୁ ବାହାର କରିଦିଆଗଲା, ସେସବୁ ତିକ୍ତ ଅନୁଭୂତିକୁ ଭୁଲି ନୂଆ ରାଜନୈତିକ ଅଭିଯାନ ଆରମ୍ଭ କରିବେ କି ଦୁଇ ନେତା?
ସେହିପରି ନୂଆ ଦଳ ଗଢି ବିଫଳତାର ମୁହଁ ଦେଖିବା ଅନୁଭୂତି ବିଜୟଙ୍କର ରହିଛି । ଓଡିଶା ଗଣପରିଷଦର ନିର୍ମାଣ ଓ ଏନସିପିରେ ବିଲୟରୁ ବିଶେଷ ଫାଇଦା ଅତୀତରେ ମିଳିନାହିଁ । ତେଣୁ ୨୦୧୯ ନିର୍ବାଚନ ଏମାନେ କେଉଁ ଛତା ତଳେ ଲଢିବେ ତାହା ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)