ଆଗୁଆ ଜିଲ୍ଲାର ପଛୁଆ ଚିନ୍ତା! ପଛୁଆ ଜିଲ୍ଲାର ଉନ୍ନତ ଚିନ୍ତା! କେଉଁ ଜିଲ୍ଲାରେ ଅଧିକ ସୁରକ୍ଷିତ ‘କନ୍ୟା ରତ୍ନ’?

166

କନକ ବ୍ୟୁରୋ: ଶିକ୍ଷିତ ଜିଲ୍ଲାରେ ବଦଳୁନାହିଁ ଲୋକଙ୍କ ମାନସିକତା । କନ୍ୟା ସନ୍ତାନ ଦିବସରେ ଆସିଲା ଉଦ୍ବେଗଜନ ତଥ୍ୟ । ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ତଥାକଥିତ ଉନ୍ନତ ଓ ଶିକ୍ଷିତ ବୋଲି କୁହାଯାଉଥିବା ଜିଲ୍ଲାରେ ଝିଅଙ୍କ ସଂଖ୍ୟା ଖୁବ୍ କମ୍ ରହିଛି । ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । କିନ୍ତୁ ପଛୁଆ ଜିଲ୍ଲା କୁହାଯାଉଥିବା କନ୍ଧମାଳ, ନବରଙ୍ଗପୁର ଓ ମାଲକାନିଗିରେ ଝିଅ ଅନୁପାତ ପ୍ରେରଣାଦାୟୀ ରହିଛି ।

ଓଡ଼ିଶାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । କଟକ, ଜଗତସିଂହପୁର, ନୟାଗଡ଼, ସୋନପୁର ଓ ଗଂଜାମ ଜିଲ୍ଲାରେ ଏ ସଂଖ୍ୟା ଅତି ଉଦବେଗଜନକ । ଅପେକ୍ଷାକୃତ ଆଗୁଆ ବା’ ଉନ୍ନତ କୁହାଯାଉଥିବା ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯ଶହ ବି ଛୁଇଁନାହିଁ । ଅନ୍ୟପଟେ ପଛୁଆ କୁହାଯାଉଥିବା ଜିଲ୍ଲା କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୯୮୦ ଓ ତାଠାରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କନ୍ୟା ସନ୍ତାନ ଦିବସ ଅବସରରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।

୨୦୨୨ର ରେକର୍ଡ ଆଧାରରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ପ୍ରାୟ ସମାନ୍ତର ଥିବା ୫ଟି ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି । କନ୍ଧମାଳରେ ହଜାରେ ପୁଅରେ ଝିଅଙ୍କ ଅନୁପାତ ୯୮୪ ରହିଥିବା ବେଳେ ମାଲକାନଗିରିରେ ଏହା ୯୮୨ ରହିଛି । ସେହିପରି ମୟୂରଭଂଜରେ ୯୮୧, ନବରଙ୍ଗପୁରରେ ୯୬୪ ଓ ସମ୍ବଲପୁରରେ ଏହି ଅନୁପାତ ୯୬୩ ରହିଛି । ଆଗାମୀ ଦିନରେ ଏହି ସବୁ ଜିଲ୍ଲାର ସେକ୍ସ ରେସିଓ ବା’ ପୁଅ-ଝିଅଙ୍କ ସଂଖ୍ୟା ସମାନ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ । ସେହିପରି ପୁଅ ଏବଂ ଝିଅ ସଂଖ୍ୟାରେ ସନ୍ତୁଳନ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଜନନ ସ୍ୱାସ୍ଥ୍ୟ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ, କିଶୋରୀ ସ୍ୱାସ୍ଥ୍ର୍ୟ କାର୍ଯ୍ୟକ୍ରମ ଏବଂ ଉପଯୁକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ଜନଜାଗରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।