୨୧ ବର୍ଷ ପରେ ଭୁବନେଶ୍ୱର ଦେଖିବ କି ନୂଆ ସାଂସଦ ପ୍ରାର୍ଥୀ ? ଅଫିସର ଥିଲେ, ସାଂସଦ ହେବେ ।

ପାଟ୍ଟଶାଣୀ ଯିବା ପରେ କିଏ ଆସିବେ ? 

736

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ପ୍ରତ୍ୟେକ ଦଳ ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି । କଂଗ୍ରେସ ଆଗୁଆ କିଛି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ନିଜକୁ ଆହୁରି ସଙ୍ଗଠିତ କରୁଛି । ଆଉ ଏସବୁ ଭିତରେ ଶାସକ ବିଜେଡି ନିଜର ପୁରୁଣା ଫର୍ମୁଲାରେ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଛି । ପୁରୁଣା ଫର୍ମୁଲା କହିଲେ, କିଛି ନେତାଙ୍କ ଟିକେଟ କଟାଯିବ ଓ କିଛି ନେତାଙ୍କର ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରାଯିବ ବୋଲି ଶୁଣିବାକୁ ମିଳିଛି ।

ପୁରୁଣା ଫର୍ମୁଲା ତାଲିକାର ପ୍ରଥମ ନାଁ ଭାବେ ଏବେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ସାମ୍ନାକୁ ଆସୁଛି । ୨୦୧୯ରେ ବାବା ପାଟ୍ଟଶାଣୀଙ୍କୁ ସଂସଦରେ ନୁହେଁ ବରଂ ବିଧାନସଭାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅଥାର୍ତ ବାବା ଲୋକସଭା ଆସନରେ ନ ଲଢି ବିଧାନସଭା ଆସନରେ ଲଢିବେ ତାଙ୍କ ପାଖ ଲୋକ କୁହାକୁହି ହେଉଛନ୍ତି । ଯାହା ଭୁବନେଶ୍ୱର ରାଜନୀତିକୁ ସରଗରମ କରିଛି ।

ବାବା ପାଟ୍ଟଶାଣୀ ଯଦି ଚଳିତ ଥର ବିଧାନସଭା ଆସନରେ ଲଢିବେ ତେବେ ତାଙ୍କ ଆସନ କାହାକୁ ଦେବ ବିଜେଡି । ଏଭଳି ଏକ ପ୍ରଶ୍ନ ରାଜଧାନୀବାସୀଙ୍କ ମନରେ ଉଙ୍କି ମାରୁଛି । ଭୁବନେଶ୍ୱରରୁ ୪ ଥର ସାଂସଦ ହେବା ପରେ ରାଜଧାନୀରେ ପାଟ୍ଟଶାଣୀ ବିରୋଧୀ ହାୱା ବହିବା ଆରମ୍ଭ ହୋଇଛି । ତେଣୁ ଏଭଳି ସ୍ଥିତିରେ ପାଟ୍ଟଶାଣୀଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ନ କରି ନୂଆଁ ମୁହଁ ବିଜେଡି ଖୋଜୁଛି ବୋଲି ଚର୍ଚ୍ଚା ହେଉଛି ।

ଶୁଣିବାକୁ ମିଳୁଛି, ଭୁବନେଶ୍ୱର ଆସନ ଉପରେ ଅଧିକାଂଶ ବିଜେଡି ନେତା ଆଖି ପକାଇଛନ୍ତି । ଆଉ ଏଥିପାଇଁ ଲବି ମଧ୍ୟ କରୁଛନ୍ତି । କିନ୍ତୁ ଏହି ଆସନ ପାଇଁ ନବୀନଙ୍କ ପସନ୍ଦର ଚେହେରା ଭାବେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ଯୁବ ବାହିନୀ ଦାୟିତ୍ୱରେ ଥିବା ଅରୂପ ପଟ୍ଟନାୟକଙ୍କୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଅରୂପ ମଧ୍ୟ ନବୀନଙ୍କ ଗୁଡବୁକରେ ରହିଛନ୍ତି ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଥିବା ଅରୂପ ଭୁବନେଶ୍ୱର ଆସନରେ ବିଜେଡି ପାଇଁ ଟ୍ରମ୍ପକାର୍ଡ ସାଜିବେ ବୋଲି ଚର୍ଚ୍ଚା ହେଉଛି । କାରଣ ଭୁବନେଶ୍ୱରର ଅଧିକାଂଶ ଭୋଟର ଶିକ୍ଷିତ । ତେଣୁ ଅରୂପଙ୍କ ଭଳି ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଗଲେ ବେଶ ସହଜରେ ରାଜଧାନୀବାସୀ ଗ୍ରହଣ କରିନେବେ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି । ଏହାଛଡା ପୂର୍ବରୁ ମୁମ୍ବାଇର କମିଶନର ଥିବା ବେଳେ ଅରୂପ ଲୋକଙ୍କ ପାଇଁ ଅନେକ ଗୁଡିଏ କାର୍ଯ୍ୟ କରି ବେଶ ପ୍ରଂଶସା ସାଉଁଟିଛନ୍ତି । ତେଣୁ ଅରୂପଙ୍କୁ ପ୍ରାର୍ଥୀ କରି ବିଜେଡି ଭୁବନେଶ୍ୱରରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଚର୍ଚ୍ଚା ହେଉଛି ।

ତେବେ ପ୍ରଶ୍ନ ଉଠୁଛି, ଯଦି ଅରୂପଙ୍କୁ ଭୁବନେଶ୍ୱର ଆସନରୁ ପ୍ରାର୍ଥୀ କରାଯାଏ ତେବେ ବାବା ପାଟ୍ଟଶାଣୀ କେଉଁ ଆସନରୁ ଲଢିବେ । ବିଜେଡି ଶିବିରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ପାଟ୍ଟଶାଣୀଙ୍କୁ ଚିଲିକା ଆସନରେ ଲଢାଇବାକୁ ଯୋଜନା କରୁଛି ଦଳ । ଚିଲିକାରେ ଗତ ନିର୍ବାଚନରେ ବିଜେପି ଜିତିଥିବା ବେଳେ ଏହି ଆସନ ଉପରେ ନଜର ପକାଇଛି ବିଜେଡି । ଏହାଛଡା ପୂର୍ବଥର ଚିଲିକା ଆସନରେ ଲଢିଥିବା ରଘୁ ସାହୁଙ୍କୁ ଚଳିତ ଥର ବିଜେଡି ଟିକେଟ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି ।

 ଭିତିରିଆ ବିଜେଡି କରିଥିବା ସର୍ଭେ ଅନୁଯାୟୀ, ଚିଲିକା ନିର୍ବାଚନମଣ୍ଡଳୀରେ ରଘୁ ସାହୁଙ୍କ ସ୍ଥିତି ସେମିତି ଆଖିଦୃଶିଆ ନାହିଁ । ତେଣୁ ଏଠାରେ ତାଙ୍କୁ ପ୍ରାର୍ଥୀ କରି ରିସ୍କ ନେବାକୁ ଦଳ ଚାହୁଁନାହିଁ ବୋଲି ଚର୍ଚ୍ଚା ହେଉଛି । ତେଣୁ ରଘୁ ସାହୁଙ୍କ ବଦଳରେ ଚିଲିକା ଆସନ ପାଟ୍ଟଶାଣୀଙ୍କ ପାଇଁ ଫିକ୍ସ କରାଯାଇଥିବା ଶୁଣିବାକୁ ମିଳୁଛି । ମନ୍ତ୍ରୀପଦର ଅଫର ଦେଇ ପାଟ୍ଟଶାଣୀଙ୍କୁ ଲୋକସଭା ଛାଡି ବିଧାନସଭା ଲଢିବାକୁ ଦଳ ପକ୍ଷରୁ କୁହାଯାଇଥିବା ଚର୍ଚ୍ଚା ହେଉଛି । ଆଉ ଦଳ ପକ୍ଷରୁ ଦିଆଯାଇଥିବା ଅଫରକୁ କାଳେ ବାବା ପାଟ୍ଟଶାଣୀ ହଁ କରିଥିବା ଚର୍ଚ୍ଚା ହେଉଛି ।