କନକ ବ୍ୟୁରୋ : ସଂକ୍ରମଣ କମିବା ପରେ ଅଷ୍ଟମରୁ ଦଶମ ଶ୍ରେଣୀ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ସ୍କୁଲ ଖୋଲିଥିଲେ ବି ପରୀକ୍ଷା ଅନଲାଇନରେ ହେବ କି ଅଫଲାଇନରେ କରାଯିବ ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଯାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଦିନ ପରେ ସ୍କୁଲ ଖୋଲିଥିବାରୁ ଅଫଲାଇନରେ ପରୀକ୍ଷା ନକରିବାକୁ ଦାବି ଜୋର ଧରିଲାଣି ।

Advertisment

ଏହି ଦାବି ନେଇ ଗତକାଲି ଭୁବନେଶ୍ୱର ଲୋୟଲା ସ୍କୁଲରେ ପଢୁଥିବା ପିଲାଙ୍କ ଅଭିଭାବକ ସ୍କୁଲ ଆଗରେ ବିକ୍ଷୋଭ କରିଥିଲେ । କହିଥିଲେ, ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡିବାକୁ ରାଜି କିନ୍ତୁ ୨ ବର୍ଷ ଧରି ସ୍କୁଲ ବନ୍ଦ ଥିବାରୁ ଅଫଲାଇନ ପରୀକ୍ଷା ନକରାଯାଉ । ଏହାରି ଭିତରେ ବ୍ରିହାନ୍ ମୁମ୍ବାଇ ମୁନିସିପାଲ କର୍ପୋରେସନ୍ ବା ବିଏମସି ପିଲାଙ୍କୁ ଅଫଲାଇନ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କହିଛି । ବିଏମସି ଶିକ୍ଷା ଅଧିକାରୀ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅନଲାଇନ୍ ପରୀକ୍ଷା ବ୍ୟବସ୍ଥା ରହିଛି ।

ତେଣୁ ଅଫଲାଇନ୍ ପରୀକ୍ଷା ପାଇଁ ପିଲାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ଏବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ପିଲାଙ୍କର ଅଫ୍ଲାଇନ୍ ପରୀକ୍ଷା ହେବ ନା ଅନଲାଇନ୍ ପରୀକ୍ଷା କରାଇବାକୁ ନିଷ୍ପତି ନିଆଯିବ । ସରକାର ଜାରି କରିଥିବା ଗାଇଡଲାଇନରେ ପରୀକ୍ଷାକୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇନାହିଁ । ତେବେ ଅନଲାଇନ୍, ଅଫଲାଇନ୍ କିମ୍ବା ଉଭୟ ମାଧ୍ୟମରେ ପାଠ ପଢାଯାଇପାରିବ ବୋଲି କୁହାଯାଇଛି । ତେଣୁ ପରୀକ୍ଷାକୁ ନେଇ ସରକାର ସମାନ ଧରଣର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।