ପ୍ରବଳ ବର୍ଷା ଓ ଆସନ୍ନ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗର ଛୁଟି ବାତିଲ କଲେ ସରକାର । ଉଦ୍ଧାର କାର୍ଯ୍ୟ ପାଇଁ ୧୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ।

183

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସତର୍କ ହୋଇଛି ଅଗ୍ନିଶମ ବିଭାଗ । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ୧୪ଟି ଜିଲ୍ଲାର ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ।

ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ଆଦି ଦାୟିତ୍ୱ ତୁଲାଇବେ ଅଗ୍ନିଶମ କର୍ମଚାରୀ । ତେଣୁ ୧୪ଟି ଜିଲ୍ଲାର କୌଣସି ଅଗ୍ନିଶମ ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ଛୁଟିକୁ ବାତିଲ କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଗଜପତି, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ. ବାଲେଶ୍ୱର, ବାରିପଦା ଓ ପୁରୀ ଜିଲ୍ଲା ।

ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଆଖିରେ ରଖି ଏହି ୧୪ଟି ଜିଲ୍ଲାର ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏଥିସହ ଭୁବନେଶ୍ୱରରେ ଥିବା ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଏକାଡେମୀର କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ନିହାତି ଜରୁରୀ ଥିବା ଉପରିସ୍ଥ ଅଧିକାରୀଙ୍କ ଅନୁମତି କ୍ରମେ ଛୁଟିରେ ରହିପାରିବେ ବୋଲି ସୂଚନା ମିଳିଛି ।