କରୋନା ସଂକ୍ରମଣ ଦୃଷ୍ଟିରୁ ବୋଲ‌ବମ୍‌ କଟକଣା କଠୋର : ଭକ୍ତ ଖାଲି ପାଦରେ ବୁଲିଲେ ବି ଗଣିବେ ତଣ୍ଡ

162

କନକ ବ୍ୟୁରୋ : ହାତ ଦ୍ୱାରା ଯେମିତି କରୋନା ବ୍ୟାପିବାର ଆଶଙ୍କା ରହିଛି, ଠିକ୍ ସେଭଳି ଖାଲି ପାଦରେ ବି ଏହା ବ୍ୟାପିବାର ସମ୍ଭାବନା ରହୁଛି । ଏଣୁ, ଖାଲି ପାଦରେ ଯାତାୟତ ସକାଶେ ସଭିଙ୍କୁ ବାରଣ କରାଯାଇଛି । କିନ୍ତୁ, ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ହେତୁ କିଛି ବୋଲବମ୍ ଶ୍ରଦ୍ଧାଳୁ ଜଳ ତର୍ପଣ କରି ନ ପାରିଲେହେଁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖାଯାଇଛି । ଏଣୁ, ସେମାନେ କରୋନା ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଥିବାରୁ କାହାରିକୁ ଖାଲି ପାଦରେ ଚଲାବୁଲା କରୁଥିବା ଦେଖିଲେ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ପ୍ରକାଶ କରିଛନ୍ତି । କାହାର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ନୁହଁ ବର˚ ପ୍ରତ୍ୟେକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଉଦ୍ୟମ ବୋଲି ସେ କହିଛନ୍ତି ।

ଇତିମଧ୍ୟରେ ଏଭଳି ଜଣେ ଭକ୍ତ ଖାଲି ପାଦରେ ଚଲାବୁଲା କରୁଥିବାରୁ ସେ ତଣ୍ଡ ଦେଇଥିବା ସୂଚନା ମିଳିଛି । ଯେହେତୁ ଲୋକଙ୍କର ଯେଉଁଠି ସେଇଠି ଛେପ ପକାଇବାର ଅଭ୍ୟାସ ରହିଛି, ଖାଲି ପାଦରେ ଯିବାଆସିବା କଲେ କରୋନା ପଜିଟିଭଙ୍କ ସ୍ବାବ ସଂସ୍ପର୍ଶରେ ଆସିବାର ସମ୍ଭାବନା ରହିଛି । ଏଣୁ, ସଭିଏଁ ଚପଲ ବ୍ୟବହାର କରନ୍ତୁ ଏବଂ ସୁବିଧା ସ୍ଥଳେ ପ୍ରତ୍ୟେକ ଦିନ ଚପଲ ଧୋଇବା ଜାରି ରଖନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।