ଟୁଇନସିଟିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ସରକାରୀ ଅଫିସ୍ । ଶନିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ।

535

କନକ ବ୍ୟୁରୋ: ଅକ୍ଟୋବର ମାସରେ ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଛୁଟି ରହିବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଜରୁରୀ ସେବା ସହ ଜଡ଼ିତ କାର୍ଯ୍ୟାଳୟ ଓ ଏସଆରସି ଅଫିସ, ଓସ୍‌ଡମା, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥାଙ୍କୁ ଏହି ବ୍ୟବସ୍ଥାରୁ ବାଦ ଦିଆଯାଇଛି । ଏହି ସରକାରୀ ସଂସ୍ଥା ଓ କାର୍ଯ୍ୟାଳୟ ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶନାରେ ଉଲ୍ଲେଖ କରାଯାଇଛି।

ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦% କର୍ମଚାରୀଙ୍କୁ ନେଇ କାମ ହେବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ନିଷ୍ପତ୍ତି କରିବେ । ମାତ୍ର ଅଫିସର କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ନ ଘଟେ ତାହା ଦାୟିତ୍ବରେ ଥିବା ଅଧିକାରୀ ନିଶ୍ଚିତ କରିବେ।

ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ମାସକ ପାଇଁ ସମସ୍ତ ସରକାରୀ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। ଗ୍ରୁପ୍‌-ଏ ଅଧିକାରୀଙ୍କୁ ମିଶାଇ ସର୍ବମୋଟ୍‌ ୫୦% କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। କିନ୍ତୁ ଜରୁରୀ ସେବା ଯୋଗାଉଥିବା ଏସ୍‌ଆର୍‌ସି, ଓସ୍‌ଡମା, ପୁଲିସ୍‌ ଥାନା, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ମହାନଗନର ନିଗମ ଅଫିସଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀ ଅଫିସ୍‌ ଆସିବେ। ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‌ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ସେସବୁ କର୍ମଚାରୀମାନେ ଘରୁ କାମ କରିପାରିବେ। ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ୟ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ। ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ୍‌ ଓ ମୋବାଇଲ ଫୋନ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଫିସ୍‌ ଆସୁଥିବା କର୍ମଚାରୀମାନେ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।