ରୋଷେଇ ଘରେ ମହଙ୍ଗା ମାଡ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି ।

123

କନକ ବ୍ୟୁରୋ : ଲୋକଙ୍କ ରୋଷେଇ ଘର ଉପରେ ବଢ଼ି ଚାଲିଛି ମହଙ୍ଗା ମାଡ଼ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି । ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ସାଧାରଣ ଖାଉଟି ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି । ସାଧାରଣ ଖାଉଟି ଉପରେ ଏହାର କ’ଣ ପ୍ରଭାବ ପଡ଼ିଛି ।

ଗୀତା ବେହେରା । ଘର ଭୁବନେଶ୍ୱର ଫରେଷ୍ଟ ପାର୍କ ଅଂଚଳରେ । ନିମ୍ନ ଆୟକାରୀ ବର୍ଗ ଭିତରେ ଆସୁଥିବା ଗୀତାଙ୍କ ପରିବାର ଚଳାଇବାର ଏକମାତ୍ର ମାଧ୍ୟମ ହେଉଛି ଏହି ଦୋକାନ । ଝରଣା ସାହିରେ ପରିବା ଦୋକାନ କରି ଚଳୁଛନ୍ତି ଗୀତା । ହେଲେ ତିନି ମାସରେ ଗ୍ୟାସ୍ ସିଲିଣ୍ଡର ଦାମ ୧୨୫ ଟଙ୍କା ବଢ଼ିଯିବା ତାଙ୍କ ଚିନ୍ତା ବଢ଼ାଇ ଦେଇଛି ।

ନଜର ପକାନ୍ତୁ ଏଚ୍ପି ଗ୍ୟାସ୍ରେ ଜଣେ ଗ୍ରାହକଙ୍କ ଦେୟ ଓ ସବସିଡିର ଚିତ୍ର ଉପରେ । ନଭେମ୍ବରରେ ସବ୍-ସିଡିଯୁକ୍ତ ୧୪.୨ କେଜି ଏଲପିଜି ସିଲିଣ୍ଡର ଦାମ ଥିଲା ୬୨୦ ଟଙ୍କା ୫୦ ପଇସା । ବ୍ୟାଙ୍କ୍ ଆକାଉଂଟକୁ ସବସିଡି ଫେରୁଥିଲା ୧୩ ଟଙ୍କା ୯୫ ପଇସା  । ଡିସେମ୍ବରରେ ସିଲିଣ୍ଡର ଦାମ ଦୁଇ ଥର ୫୦ ଟଙ୍କା ଲେଖାଏଁ ବଢ଼ିବା ପରେ ଫେବ୍ରୁଆରୀ ୩ରେ ପୁଣି ୨୫ ଟଙ୍କା ବଢ଼ିଛି । ଫଳରେ ତିନି ମାସ ପରେ ଗ୍ୟାସ ସିଲିଣ୍ଡର ଦାମ ୭୪୫ଟଙ୍କା ୫୦ ପଇସାରେ ପହଁଚିଯାଇଛି । ହେଲେ ଆକାଉଂଟକୁ ସବସିଡି ଫେରିବାର ପରିମାଣ ସେହି ସମାନ ୧୩ଟଙ୍କା ୯୫ ପଇସା ହିଁ ରହିଛି ।

ଅନ୍ତର୍ଜାତିକ ବଜାରରେ ତୈଳ ଦର ଖସିବା ସତ୍ୱେ ପେଟ୍ରୋଲ, ଡିଜେଲ ଗ୍ୟାସ୍ ଦର ବଢ଼ିଚାଲିଛି । ଠିକ୍ ଏତିକି ବେଳେ ଘରୋଇ ରୋଷେଇ ଗ୍ୟାସ ଦର ବୃଦ୍ଧି ଖାଉଟି ଚିନ୍ତା ବଢ଼ାଇ ଦେଇଛି ।