ଭାଙ୍ଗିବ ପରମ୍ପରା,ଗଡ଼ିବନି ରୁକୁଣା ରଥ : କରୋନା ଯୋଗୁଁ ରିସ୍କ୍‌ ନେଇ ପାରିବନି ପ୍ରଶାସନ

1,462

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟତମ ବଡ଼ ପର୍ବ ରୁକୁଣା ରଥଯାତ୍ରା ବନ୍ଦ ହେବ। ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହୁଁନି। ରଥଯାତ୍ରା ନ‌ହେଲେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବ। ରଥଯାତ୍ରା ହୋଇପରିବ ନାହିଁ ବୋଲି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଛନ୍ତି।

ସନ୍ଧ୍ୟା ୬ଟାରେ ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡ ସଭାପତି ଶ୍ରୀ ରାଉତ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟକୁ ୪ନିଯୋଗ ପ୍ରମୁଖଙ୍କୁ ବୈଠକ ପାଇଁ ଡାକିଥିଲେ। ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି ନଂ. ୨୦୩୫ର ବିଜ୍ଞପ୍ତିକୁ ପଢ଼ି ଶୁଣାଇଥିଲେ। କରୋନା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରା ହୋଇପାରିବ ନାହିଁ ବୋଲି କହିଥିଲେ। ଶ୍ରୀ ରାଉତଙ୍କ କହିବା ଅନୁଯାୟୀ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ୫ମିନିଟ୍‌ରେ ଜିଲ୍ଲାପାଳ ବୈଠକ ଶେଷ କରି ବାହାରିଥିଲେ। ସେତେବେଳେ ବ୍ରାହ୍ମଣ ନିଯୋଗର ସମ୍ପାଦକ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ରଥଯାତ୍ରା ବନ୍ଦ ହେବ ତେବେ ପରମ୍ପରା କିପରି ବଜାୟ ରହିବ। ଏନେଇ ଜିଲ୍ଲାପାଳ କହିଥିଲେ, ଆମେ ରିସ୍କ ନେଇ ପାରିବୁ ନାହିଁ।

ଆସନ୍ତା ଏପ୍ରିଲ ୧ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ତିଥି ପଡ଼ୁଛି। ରଥକାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ମଙ୍ଗଳବାର ରଥ ପ୍ରତିଷ୍ଠା ହୋଇଥାନ୍ତା। ସେହିଦିନ ମରିଚିକୁଣ୍ଡ ପାଣି ନିଲାମ ହୋଇଥାନ୍ତ‌ା। ରଥଯାତ୍ରା ବନ୍ଦ ସହ ଏହି ସବୁ ପରମ୍ପରା ମଧ୍ୟ ବନ୍ଦ ହେଲା। ୫ବର୍ଷ ହେଲା ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଯଥା ହାଣ୍ଡି ଭଙ୍ଗା ଯାତ୍ରା, ଚନ୍ଦନ ଯାତ୍ରା, ଶୀତଳଷଷ୍ଠୀ ଯାତ୍ରା, ବରୁଣେଶ୍ବର ଯାତ୍ରା ପରମ୍ପରା ଭଙ୍ଗ ହେଉଥିବା ବେଳେ ରଥଯାତ୍ରା ବନ୍ଦ ହେଲେ ପରମ୍ପରା ଭଙ୍ଗର ନୂତନ ଇତିହାସ ସୃଷ୍ଟି ହେବ। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସବୁଆଡ଼େ ଲକ୍‌ଡାଉନ୍‌ ଘୋଷଣା ପରେ ବି ମହାରଣାମାନେ କରୋନାକୁ ଖାତିର ନକରି ରଥକାମ କରୁଥିଲେ। ସେହିପରି ରଥରେ ଲାଗିବାକୁ ଥିବା ବିଭିନ୍ନ ପଶୁପକ୍ଷୀ, ଘୋଡ଼ା, ପାର୍ଶ୍ବ ଦେବତାଙ୍କ ମୂର୍ତି କାମ ମଧ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ରଥଯାତ୍ରା ହେବାର ନଥିଲା ତେବେ ଲକ୍‌ଡାଉନ୍‌ ପରେ ମହାରଣାଙ୍କୁ ରଥ କାମକୁ ବନ୍ଦ କରାଗଲା ନାହିଁ। ଏପରିକି କୌଣସି ନିଯୋଗ ପ୍ରମୁଖଙ୍କୁ ଡାକି ବୈଠକ କରାଗଲା ନାହିଁ। ରଥ କାମ ଚାଲୁ ରହିଥିବାରୁ ରଥଯାତ୍ରା ହେବ ବୋଲି ସଭିଏଁ ଭାବିଥିଲେ। ବୈଠକରେ ଥିବା ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଥଯାତ୍ରା ସମ୍ପର୍କରେ ମୁହଁ ଖୋଲିନଥିଲେ।

ସମସ୍ତେ ଦ୍ବନ୍ଦ୍ବରେ ଥିଲେ

କରୋନା କଟକଣା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ କେବଳ ନୀତିକାନ୍ତି ଚାଲୁ ରହିଛି। ଯଦି ରଥଯାତ୍ରା ହେବ ସେବାୟତମାନେ ନିଶ୍ଚିତ ଏକତ୍ରିତ ହେବେ। ରଥରେ ଥିବା ଠାକୁରଙ୍କୁ ଦର୍ଶନ ପାଇଁ ଓ ଯାତ୍ରାରେ ବହୁ ସଂଖ୍ୟାରେ ଲୋକ ସାମିଲ ହେବେ। ସେତେବେଳେ ମଧ୍ୟ ଭିଡ଼ ଅଧିକ ହେବା ଆଶଙ୍କା ରହିଥିଲା। ରଥ ଭିଡ଼ିବା ବେଳେ ହେଉକି କି ଦର୍ଶନ ବେଳେ ଲୋକ ନିୟମକୁ ନମାନି ପାଖାପାଖି ରହିବା ଆଶଙ୍କା ରହିଥିଲା। ଏହାକୁ ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ଚିନ୍ତାରେ ଥି‌ଲେ। ଏହି ଦ୍ବନ୍ଦ୍ବରେ ମନ୍ଦିର ପ୍ରଶାସନ କୌଣସି ସେବାୟତ ଗୋଷ୍ଠୀଙ୍କୁ ଡାକି ବୈଠକ କରୁନଥିବା ଅନୁମାନ କରାଯାଉଥିଲା।

ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଚାଲିଥିଲା

ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଚାଲିଥିଲା। ମହାରଣାମାନେ ଦୂରତା ରଖି କାମ କରିବାକୁ କୁହାଯାଇଥିଲା ତେବେ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି କୁହାଯାଇଛି।
ପ୍ରସନ୍ନ କମାର ଦାଶ, କାର୍ଯ୍ୟା ନିର୍ବାହୀ ଅଧିକାରୀ

ପରମ୍ପରା ବଜାୟ ରହୁ

ଅତୀତରେ ରଥଯାତ୍ରା କେବେ ବନ୍ଦ ହୋଇନାହିଁ। କେବଳ ପାଳିଆ ସେବାୟତ, ସହଯୋଗୀ ସେବାୟତ ଓ ପୁଲିସଙ୍କୁ ନେଇ ରଥଯାତ୍ରା ପରମ୍ପରା ବଜାୟ ରହୁ।
ବିରଞ୍ଚି ନାରାୟଣ ପତି
ସମ୍ପାଦକ, ବ୍ରାହ୍ମଣ ନିଯୋଗ

ନିର୍ୟାସ ବାହାର କରନ୍ତୁ

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଧାର୍ମିକ କାର୍ଯ୍ୟ ହେବ ନାହିଁ ବୋଲି ୪ଦିନ ହେଲା ଘୋଷଣା ହେଲାଣି ଅଥଚ ଏତେ‌ ଟଙ୍କା ଖର୍ଚ କରାଯାଇ ରଥକାମ କରାଯାଉଥିଲା କାହିଁକି। ଜିଲ୍ଲାପାଳ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତିକୁ ପୂର୍ବରୁ ଲାଗୁ କରିବାର ଥିଲା। ପରମ୍ପରା ବନ୍ଦ ନକରି ନିର୍ୟାସ ବାହାର କରାଯାଉ।
କମଳାକାନ୍ତ ବଡ଼ୁ
ସମ୍ପାଦକ, ବଡ଼ୁ ନିଯୋଗ

ପରମ୍ପରା ବଜାୟ ରହିବା ଉଚିତ

ଚଳିତ ବର୍ଷ ଦିଲ୍ଲୀରେ ପ୍ରଜ୍ଞାପନ ମେଢରେ ଲିଙ୍ଗରାଜ ମନ୍ଦିର ସହ ରୁକୁଣା ରଥ ଓ ଓଡ଼ିଶାର କଳା ସଂସ୍କୃତିକୁ ପ୍ରଦର୍ଶନ କରାଯାଇଛି। ହେଲେ ମହାପ୍ରଭୁଙ୍କ ନିଜ କ୍ଷେତ୍ର‌ରେ ଏହି ପରମ୍ପରା ଭଙ୍ଗ ହେବାର ସ୍ଥିତି ସୃଷ୍ଟି ହୋଇଛି। ଅଳ୍ପ ସେବାୟତ, ପୁଲିସ ଉପସ୍ଥିତରେ ଏହା କରାଯାଉ। ଆବଶ୍ୟକ ପଡ଼ିଲେ ପୁଲିସ, ବୁଲ୍‌ଡୋଜର ଓ ଲମ୍ବା ଦଉଡ଼ି ସାହାଯ୍ୟରେ ରଥ ଭିଡ଼ା ହେଲେ କରୋନାରୁ ସତର୍କ ରହି ପାରିବା
ଭୀଷ୍ମ ନାରାୟଣ ନାୟକ
ସଭାପତି ଏକାମ୍ର ଜନ ଜାଗରଣ ମଞ୍ଚ

ରଥଯାତ୍ରା ବନ୍ଦ ନଜିର ନାହିଁ

ରଥଯାତ୍ରା ବନ୍ଦ ହେବା ନଜିର ନାହିଁ। ରଥ ଉପରକୁ ଠାକୁର ବିଜେ କରିବା ପରେ ନୀତିକାନ୍ତି କରାଯାଉ। ରଥଯାତ୍ରା ହେବା ସହ ପରମ୍ପରା ବଜାୟ ରହୁ। ପୂର୍ବରୁ ରଥ କାଦୁଅରେ ଅଟକି ରହୁଥିବାରୁ ହାତି ଟାଣି ନିଏ। ତେବେ ରଥଯାତ୍ରା ବନ୍ଦ ହୋଇନାହିଁ।

ପଣ୍ଡିତ ମାନଗୋବିନ୍ଦ ମହାସୂପକାର

ଠାକୁର ସିଧା ଚନ୍ଦନ ଯାତ୍ରାକୁ ଯାଇଥିଲେ

ବହୁ ବର୍ଷ ପୂର୍ବରୁ ରଥ ଫେରିବା ବାଟ‌ରେ ଅଟକିବା ବେଳେ ଠାକୁର ସିଧା ଚନ୍ଦନ ଯାତ୍ରାକୁ ଯାଇଥିବା ଶୁଣିଛୁ। କିଛି ବର୍ଷ ପୂର୍ବରୁ ବିନ୍ଦୁସାଗରେ ପାଣି ନଥିବାରୁ ଠାକୁର ପାଲିଙ୍କିରେ ଯିବା ପରେ ସେବାୟତମାନେ ସିଧା ଜଗତିକୁ ନେଇ ଚନ୍ଦନ ପରମ୍ପରା ରକ୍ଷା କରିଥିଲେ

ଭାଗିରଥୀ ମହାସୁପକାର, ଲେଖକ

ଅସୁବିଧା ସତ୍ତ୍ବେ ରଥଯାତ୍ରା ହୋଇଛି
ବହୁ ବର୍ଷ ପୂର୍ବରୁ ରଥ ଆସି ନପାରିବାରୁ ଠାକୁର ରଥରୁ ସିଧା ଆସି ବିନ୍ଦୁସାଗରକୁ ଚନ୍ଦନ ଯାତ୍ରାରେ ଯୋଗ ଦେଇଛନ୍ତି। ତେବେ ରଥଯାତ୍ରା ପରମ୍ପରା ବନ୍ଦ ହୋଇନାହିଁ। ରଥଯାତ୍ରା ପରମ୍ପରା ବଜାୟ ରହୁ।
କାଶୀନାଥ ପୂଜାପଣ୍ଡା,
ସଭାପତି ପୂଜାପଣ୍ଡା ନିଯୋଗ