କନକ ବ୍ୟୁରୋ : ଚଳିତବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଏବେ ଓଡ଼ିଶାରେ ପ୍ରାକ୍ ମୌସୁମୀ ସମୟ ଚାଲିଛି, ଯାହାକି ମେ’ ମାସରେ ଶେଷ ହେବ। ଏହାପରେ ମୌସୁମୀ ବର୍ଷା ଆରମ୍ଭ ହେବ। ଜୁନ୍ ମାସରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତରେ ପ୍ରବେଶ କରିବା ନେଇ ଏବେଠାରୁ ବିଶ୍ବର ବିଭିନ୍ନ ଗବେଷଣା ସଂସ୍ଥା ଆକଳନ କରିଛନ୍ତି। ମୌସୁମୀ ବର୍ଷାର ରୂପ ନେଇ କରାଯାଇଥିବା ଆକଳନରୁ ଜଣାପଡ଼ୁଛି ଯେ ଚଳିତବର୍ଷ ଓଡ଼ିଶାରେ ଓ ମୋଟାମୋଟି ଭାବେ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଭାରତ ଏକ କୃଷିପ୍ରଧାନ ଦେଶ। ଏଠାକାର ୬୫ପ୍ରତିଶତ ଚାଷୀ ଜଳସେଚନ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ତେଣୁ ମୌସୁମୀ ବର୍ଷା ଦେଶର ଆର୍ଥିକ ତଥା ସାମାଜିକ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେହି ଦୃଷ୍ଟିରୁ ଦେଖିଲେ ଚଳିତବର୍ଷ ମୌସୁମୀ କିଭଳି ରହିବ, ସେନେଇ ବିଦେଶୀ ସଂସ୍ଥାମାନେ ଆକଳନ କରିଦେଇଛନ୍ତି। କଲମ୍ବିଆ ବିଶ୍ବବିଦ୍ୟାଳୟସ୍ଥିତ ଅନ୍ତଜାର୍ତୀୟ ଗବେଷଣା ସଂସ୍ଥା ପକ୍ଷରୁ ବିଭିନ୍ନ ଦେଶର ୧୮ଟି ନ୍ୟୁମରିକାଲ ମଡେଲ ଓ ୮ଟି ଷ୍ଟାଷ୍ଟିକିକାଲ ମଡେଲ୍ର ଫଳାଫଳ ନେଇ ବିଶ୍ଲେଷଣ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଜାତୀୟ ପାଣିପାଗ ସଂସ୍ଥା ମଧ୍ୟ ୮ଟି ମଡେଲ୍କୁ ନେଇ ଅନୁଧ୍ୟାନ କରିଛି। ଜାପାନ ଓ କୋରିଆର ମଡେଲ୍ ମଧ୍ୟ ଚଳିତବର୍ଷର ମୌସୁମୀ ବର୍ଷା ନେଇ ଆକଳନ ଆରମ୍ଭ କରିଛନ୍ତି।
ଆକଳନ କରାଯାଇଥିବା ଅଧିକାଂଶ ମଡେଲ୍କୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଚଳିତବର୍ଷ ଭାରତରେ ମୌସୁମୀ ବର୍ଷାର ସମୁଦାୟ ପରିମାଣ ସ୍ବାଭାବିକ ରହିବ। ଏହି ଆକଳନ ପାଇଁ ଇଏନ୍ଏସ୍ଓ(ଏଲ୍ ନିନୋ-ସର୍ଦନ ଓସିଲେସନ)କୁ ମାପକାଠି ଭାବେ ବିବେଚନା କରାଯାଇଛି। ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ବାଭାବିକଠାରୁ ୦.୫ ଡିଗ୍ରି ସେଲ୍ସିୟସ୍ରୁ ଅଧିକ ରହିଲେ, ଏଲ୍-ନିନୋ ଓ କମ୍ ରହିଲେ ଲା-ନିନା ପ୍ରଭାବ ରହିଥାଏ। ଏଲ୍-ନିନୋ ରହିଲେ ମୌସୁମୀ ବର୍ଷା କମ୍ ହୋଇଥିବା ବେଳେ ଲା-ନିନା ରହିଲେ ଅଧିକ ବର୍ଷା ହୁଏ। ସ୍ବାଭାବିକ ରହିଲେ ସ୍ବାଭାବିକ ବର୍ଷା ହୋଇଥାଏ। ମାର୍ଚ୍ଚ ମାସ ପ୍ରାରମ୍ଭରେ ଏହା ୬୦% ନ୍ୟୁଟ୍ରାଲ ଥିବା ବେଳେ ୩୯% ଏଲ୍-ନିନୋ ଓ ୧% ଲା-ନିନା ଥିଲା।
ମଡେଲ୍ କହୁଛି ଯେ ମୌସୁମୀ ପାଖେଇ ଆସିଲେ ଏଲ୍-ନିନୋ କମିବ ଏବଂ ଲା-ନିନା ବଢ଼ିବ। ଜୁଲାଇ ମାସରେ ଏଲ୍-ନିନୋ ଅପେକ୍ଷା ଲା-ନିନା ଅଧିକ ରହିବ। ନ୍ୟୁଟ୍ରାଲ ମଧ୍ୟ ୫୦ପ୍ରତିଶତରୁ ଅଧିକ ରହିବ। ତେଣୁ ଚଳିତବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ। ତେବେ ଜାପାନ ମଡେଲ୍ ସହ ଅନ୍ୟ ଦୁଇଟି ମଡେଲକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ମୌସୁମୀ ସମୟରେ ଲା-ନିନା ଶକ୍ତିଶାଳି ରହିବ। ତେଣୁ ମୌସୁମୀ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ। ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି) ମଧ୍ୟ ପଜେଟିଭ୍ ରହିବ। ଏହାଦ୍ବାରା ସାରା ଦେଶରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
ମୌସୁମୀ ବାୟୁର ବଙ୍ଗୋପସାଗାରୀୟ ଶାଖା ପ୍ରାରମ୍ଭରେ ମନ୍ଥର ତଥା ଧୀର ଗତିରେ ଅଗ୍ରସର ହେବ। ତେଣୁ ଚଳିତବର୍ଷ ମୌସୁମୀ ବଳମ୍ବରେ ଆସିବାର ସମ୍ଭାବନା ରହିଛି। ବିଳମ୍ବିତ ହେଲେ ମଧ୍ୟ ଜୁଲାଇଠାରୁ ବର୍ଷା ପରିମାଣ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।