କନକ ବ୍ୟୁରୋ : ରାଜଧାନୀରେ ସବୁଠୁ ଅଧିକ ଗରମ ଅନୁଭୂତ ହେଉଥିବା ୧୩ଟି ଅଞ୍ଚଳକୁ ଓସ୍ଡମା ଚିହ୍ନଟ କରିଛି। ଏହି ୧୩ଟି ସ୍ଥାନରେ ଆସନ୍ତା ଗ୍ରୀଷ୍ମ ପ୍ରବାହ ସମୟରେ ସ୍ବତନ୍ତ୍ର ପ୍ରସ୍ତୁତି କରିବାକୁ ଓସ୍ଡମା ବିଏମ୍ସିକୁ ଜଣାଇଛି। ଏହାପରେ ବିଏମ୍ସି ପକ୍ଷରୁ ଏନେଇ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଓସ୍ଡମାର ସୂଚନା ଅନୁଯାୟୀ, ପ୍ରତିବର୍ଷ ଖରାଦିନେ ରାଜଧାନୀର ତାତି ରେକର୍ଡ ଭାଙ୍ଗି ଚାଲିଛି। ହେଲେ ରାଜଧାନୀର ଏମିତି କିଛି ସ୍ଥାନ ଅଛି ଯେଉଁଠି ପାଣିପାଗ ବିଭାଗ ତାତି ରେକର୍ଡ କରୁନି। ହେଲେ ଏଠାରେ ସବୁଠୁ ଅଧିକ ତାତି ଅନୁଭୂତ ହେଉଛି। ଚନ୍ଦ୍ରଶେଖରପୁର ଓ ଖଣ୍ଡିଗରି ଅଞ୍ଚଳରେ ରାଜଧାନୀବାସୀ ଅଧିକ ତାତି ଅନୁଭୂତ କରନ୍ତି। ଏହି ଅଞ୍ଚଳରେ ରାଜଧାନୀର ବାକି ଅଞ୍ଚଳ ଅପେକ୍ଷା ସୂର୍ଯ୍ୟଙ୍କର ପ୍ରକୋପ ଅଧିକ ରହିଥାଏ। ରାଜଧାନୀର ୧୩ଟି ତତଲା ଅଞ୍ଚଳକୁ ଓସ୍ଡମା ଚିହ୍ନଟ କରିଛି।
ସେଗୁଡ଼ିକ ହେଲା ୱାର୍ଡ-୧ର ନେହରୁ ପଲେଇ, ଇନ୍ଫୋସିଟି ପଛପାଖ ଅଞ୍ଚଳ, ୱାର୍ଡ-୫ର ଶ୍ରୀରାମ ନଗର ବସ୍ତି, ୱାର୍ଡ-୬ର ଜଗନ୍ନାଥ ଆମ୍ବତୋଟା ବସ୍ତି, ଶୈଳଶ୍ରୀ ବିହାର, ୱାର୍ଡ-୭ର ମହାବୀର ବସ୍ତି, ମୁଣ୍ଡା ସାହି, ୱାର୍ଡ-୯ର ରଙ୍ଗମାଟିଆ ଉପରସାହି, ୱାର୍ଡ-୧୨ର ଦୂରଦର୍ଶନ କେନ୍ଦ୍ର ଅଞ୍ଚଳ, ୱାର୍ଡ-୧୫ର ଏକାମ୍ର ଭିଲ୍ଲା, ୱାର୍ଡ-୨୩ର ଘାଟିକିଆ ଗାଁ, ୱାର୍ଡ-୨୦ର ମଙ୍ଗଳା ବସ୍ତି, ୱାର୍ଡ-୬୫ର ସୁବାସ ନଗର ବସ୍ତି ପ୍ରମୁଖ। ଏଠାରେ ଖରାଦିନେ ଆବଶ୍ୟକ ଜଳଯୋଗାଣ ସହ ପ୍ରତ୍ୟେକ ଅଞ୍ଚଳରେ ଖରାର ମୁକାବିଲା ନେଇ ବ୍ୟାପକ ସଚେତନତା କରିବାକୁ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୧୫ ପେର ରାଜଧାନୀରେ ଖରା ବଢ଼ିବାର ଥିବାରୁ ଏବଂ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଖରା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ବିଏମ୍ସି ପକ୍ଷରୁ ଏନେଇ ପ୍ରସ୍ତୁତି ବୈଠକ ବସିଥିଲା। ଖରାର ମୁକାବିଲା ପାଇଁ ବିଏମ୍ସି, ୱାଟ୍କୋ, ସ୍ବାସ୍ଥ୍ୟ ବିଭାଗ, ଓସ୍ଡମା ପକ୍ଷରୁ ମିଳିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।
ସବୁ ବସ୍ତିରେ ଦୁଇଟି ଲେଖାଏ ପାଣି ଟାଙ୍କି ରଖିବା ସହ ଏଥିରେ ନିୟମିତ ପାଣି ଭରାଯିବ। ସମସ୍ତ ନଳକୂପ ମରାମତି କରାଯିବ, ସବୁ ବିଭାଗ ନିଜ ନିଜର ଟୋଲ୍ ଫ୍ରି ନମ୍ବର ଦେବେ, ଅଂଶୁଘାତ ଓ ଖରାଜନିତ ବିଭିନ୍ନ ରୋଗର ମୁକାବିଲା ପାଇଁ ବିଏମ୍ସି ଅଧୀନରେ ଥିବା ସମସ୍ତ ୨୬ଟି ସିଏଚ୍ସିରେ ବ୍ୟାପକ ବନ୍ଦୋବସ୍ତ କରାଯିବ।
ଏବେ ରାଜଧାନୀରେ ୪୦ଟି ୱାଟର ଏଟିଏମ୍ ଥିବାବେଳେ ଆବଶ୍ୟକସ୍ଥଳେ ଅଧିକ ୱାଟର ଏଟିଏମ୍ ଖୋଲାଯିବ। ସେହିପରି ଖରାଦିନେ ଜଳବାହିତ ରୋଗ ଏବଂ ଖାଦ୍ୟ ପ୍ରଦୂଷଣ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥିବାରୁ ବିଭିନ୍ନ ଲସି ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ଦୋକାନରୁ ନିୟମିତ ନମୁନା ସଂଗ୍ରହ କରାଯିବ। ଏଥିପାଇଁ ପେସାଦାର ଲୋକଙ୍କୁ ନିୟୋଜିତ କରାଯିବ। ବିଏମ୍ସିର ସୂଚନା ଅନୁଯାୟୀ ଏବେ ୨୯୨୮ଟି ନଳକୂପ, ୨୮୨ଟି ପମ୍ପହାଉସ୍ ଥିବାବେଳେ ବସ୍ତିରେ ଜଳସେବା ନିମନ୍ତେ ୧୬୬୦ଟି ପିଇବା ପାଣି ଟାଙ୍କି ଯୋଗାଯାଇଛି।
ସେହିପରି ଲୋକ ଯେପରି ଖରା ନେଇ କ’ଣ କରିବେ, କ’ଣ କରିବେନି ସେନେଇ ବ୍ୟାପକ ପ୍ରଚାର କରାଯିବ। ଏଥିପାଇଁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦିଆଯିବା ସହ ପ୍ରଚାର ରଥ ବୁଲିବ ଓ ୱାର୍ଡ କାର୍ଯ୍ୟାଳୟରେ ପରାମର୍ଶ ଦିଆଯିବ। ଗୋଷ୍ଠୀ ସଙ୍ଗଠକ/ସଙ୍ଗଠିକା, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ବଚ୍ଛ ସାଥୀ, ଆବାସିକ କଲ୍ୟାଣ ସଂଘ, ସ୍ବେଚ୍ଛାସେବା ସଂଗଠନ ମାଧ୍ୟମରେ ପ୍ରଚାର କରାଯିବ।