କନକ ବ୍ୟୁରୋ : ଇ-ପ୍ରଶାସନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶର ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ହାସଲ କରିଛି। ଏହାକୁ ଆଗକୁ ନେବା ସହ ପ୍ରତ୍ୟେକ ଲୋକଙ୍କ ନିକଟରେ ଯେପରି ଇଣ୍ଟରନେଟ୍ ଓ କମ୍ପ୍ୟୁଟର ସୁବିଧା ପହଞ୍ଚିପାରିବ ସେଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ୨୦୨୦ ସୁଦ୍ଧା ରାଜ୍ୟର ସବୁ ଗାଁକୁ ଇଣ୍ଟରନେଟ୍ ସଂଯୋଗ କରାଯିବ ବୋଲି ଭାରତୀୟ କମ୍ପ୍ୟୁଟର ସୋସାଇଟି(ସିଏସ୍ଆଇ)ର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
କିଟ୍ ବିଶ୍ୱବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ତିନି ଦିନିଆ ସମ୍ମିଳନୀକୁ ଲୋକପାଳ ପିନାକୀ ଚନ୍ଦ୍ର ଘୋଷ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର(ସ୍କାଇପି ମାଧ୍ୟମରେ) ଉଦଘାଟନ କରିଥିଲେ। ଶ୍ରୀ ଘୋଷ କହିଲେ ଆଇଟିରେ ହେଉଥିବା ବିକାଶ ସହ ଯୁବପିଢ଼ି ଆଗକୁ ବଢ଼ିବାକୁ ହେବ। ଏଥିପାଇଁ ବରିଷ୍ଠ ଓ କନିଷ୍ଠ ଆଇଟି ବିଶେଷଜ୍ଞଙ୍କ ମଧ୍ୟରେ ସମନ୍ବୟ ଓ ସହଯୋଗ ରହିବା ଦରକାର। ଆଗାମୀ ଦିନରେ ୫ଜି ଆସିବାକୁ ଯାଉଛି। ଏଥିସହ ତାଳ ଦେଇ ଆଗକୁ ବଢ଼ିବାକୁ ସେ ଆହ୍ବାନ ଦେଇଥିଲେ।
ସମ୍ମିଳନୀର ଆବାହକ ମାନସ ରଞ୍ଜନ ପଟ୍ଟନାୟକ କହିଲେ ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ଏକ ହଜାର କମ୍ପ୍ୟୁଟର ପେସାଦାର, ବିଶେଷଜ୍ଞ, ଶିକ୍ଷାବିତ ଓ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି। ସମ୍ମିଳନୀ ମାଧ୍ୟମରେ ଓଡ଼ିଶାର ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସମ୍ମିଳନୀରେ ଏଆଇସିଟିଇର ସଦସ୍ୟ ସଚିବ ରାଜୀବ କୁମାର, ଆଇଏଫଆଇପିର ଅଧ୍ୟକ୍ଷ ପ୍ରଫେସର ମାଇକ ହିନଚେ, କିଟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ଭାରତୀୟ କମ୍ପ୍ୟୁଟର ସୋସାଇଟିର ଲଳିତ ମୋହନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ ସୁବାସ ପାଣି, ଆର କେ ବ୍ୟାସ, ପ୍ରଫେସର କେ କେ ଅଗ୍ରଓ୍ଵାଲ, ସମରେଶ ମିଶ୍ର ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରଜିତା କୁଲକର୍ଣ୍ଣି ପ୍ରମୁଖ ଯୋଗଦେଇଥିଲେ। ସମ୍ମିଳନୀର ପ୍ରଥମ ଦିନରେ ସିଏସ୍ଆଇ ପକ୍ଷରୁ ଡ. ଉତ୍ପଲ କୁମାର ବାନାର୍ଜୀ, ପ୍ରଫେସର ବି ଏଲ ଦୀକ୍ଷାତୁଲୁ, ଏଚ ଆର ମୋହନ, ରବୀନ୍ଦ୍ରନାଥ ଲାହିରି, ଫେଲୋ ବି କେ ପଟେଲ, ଅନିର୍ବାଣ ମୁଖାର୍ଜୀ, ଫେଲୋ ରାମସ୍ୱାମୀ, ପ୍ରଫେସର ଆଲିସେରୀ ଗୋବର୍ଦ୍ଧନ ଓ ଏସ ଅରୁମୁଗନଙ୍କୁ ଲାଇଫଟାଇମ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ମିଳନୀର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଏସଆଇ ଇ-ରତ୍ନ ପୁରସ୍କାର ଦିଆଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/internet-speed-test.jpg)