ମାସ୍କ ପିନ୍ଧିଲେ ଲାଗିବ ଜୋରିମାନା ! ଏମିତି ଏକ ସ୍ଥାନ, ଯେଉଁଠି ମାସ୍କ ପିନ୍ଧିଲେ ଦେବାକୁ ପଡିବ ଫାଇନ୍ । ଜାଣନ୍ତୁ କେଉଁଠି ହୋଇଛି ଏମିତି ନିୟମ ?

573

କନକ ବ୍ୟୁରୋ : ମାସ୍କ ପିନ୍ଧିଲେ ଜୋରିମାନା ! ମାସ୍କ ପିନ୍ଧିଲେ ଏଠାରେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ । ଏକଥା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଯେ ଯେତେବେଳେ, କରୋନାର ସଂକ୍ରମଣ ରୋକିବାକୁ ପୂରା ବିଶ୍ୱ ଲଢେଇ କରୁଛି ଆଉ ଅନେକ କଟକଣା ଭିତରେ ଲୋକେ ଛନ୍ଦି ହୋଇରହୁଛନ୍ତି, ସେତେବେଳେ ଏମିତି ଏକ ଖବର ଆପଣଙ୍କୁ ହାସ୍ୟାସ୍ପଦ ଲାଗିବା ସ୍ୱାଭାବିକ୍ । କାରଣ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ଦେଶରେ ଲକଡାଉନ୍, ସଟଡାଉନ୍, ନାଇଟ୍ କର୍ଫ୍ୟୁ ଏମିତି ଅନେକ କିଛି କଟକଣା ଜାରି କରାଯାଉଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ମାସ୍କ ।

ମାସ୍କ ପିନ୍ଧିବା ପ୍ରାୟତଃ ସବୁଦେଶରେ ବାଧ୍ୟତାମୂଳକ କରାଯାଇଛି । ଆଉ ମାସ୍କ ସଠିକ୍ ଭାବରେ ନପିନ୍ଧୁଥିବା ଲୋକଙ୍କ ଠାରୁ କିଭଳି ଫାଇନ୍ ଆଦାୟ କରାଯାଉଛି, ତାର ଦୃଶ୍ୟ ମଧ୍ୟ ଆମେ ଆପଣଙ୍କ ସାମ୍ନାରେ ରଖିସାରିଛୁ । ଏପରିକି ମହାମାରୀ ସହ ଲଢେଇରେ ମାସ୍କକୁ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ଆଉ ଏପରି ସ୍ଥଳରେ କିଛି ଦେଶରେ ଲୋକଙ୍କୁ ଡବଲ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । କିନ୍ତୁ ଆଜି ଆମେ ଆପମଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ, ଯେଉଁଠି ମାସ୍କ ପିନ୍ଧିଲେ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ ।

ଆମେରିକାର ଏକ କ୍ୟାଫେରେ ଲାଗୁ ହୋଇଛି କିଛି ଏମିତି ନିୟମ । କ୍ୟାଫେର ମାଲିକ ସେହି ଗ୍ରାହକମାନଙ୍କ ଠାରୁ ୫ ଡଲାର ଅତିରିକ୍ତ ଚାର୍ଜ ଆଦାୟ କରିଥାନ୍ତି, ଯେଉଁମାନେ କି ତାଙ୍କ କ୍ୟାଫେରେ ମାସ୍କ ପିନ୍ଧୁଥିବାର ନଜର ଆସନ୍ତି । ଆଉ ଏହା ପଛର କାରଣ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କ୍ୟାଫେ ମାଲିକଙ୍କ କହିବା ଅନୁଯାୟୀ, ଲକଡାଉନରେ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଏପରି ଉପାୟ ସେ ଆପଣାଇଛନ୍ତି ।

କିନ୍ତୁ ଏହା ପଛରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ନୁହେଁ ବରଂ ଏକ ଭଲ ଉଦ୍ଦେଶ୍ୟ ରହିଛି । ଯେଉଁ ଟଙ୍କା ସେ ଏଭଳି ଜୋରିମାନା ବାବଦରେ ଆଦାୟ କରିଥାନ୍ତି, ସେହି ଟଙ୍କା ଚାରିଟିକୁ ଦାନ କରିଥାନ୍ତି ଏହି କ୍ୟାଫେର ମାଲିକ । ତାଙ୍କ କହିବା କଥା, ସମାଜର ଭଲ ପାଇଁ ମାସ୍କ ପିନ୍ଧୁଥିବା ଲୋକଙ୍କ ପାଇଁ ୫ ଡଲାର ଦାନ କରିବା କିଛି ବଡ କଥା ନୁହେଁ । ତାଙ୍କର ଏହି ଛୋଟିଆ ଦାନ ଅନେକ ଅସହାୟଙ୍କୁ ସାହାଯ୍ୟ କରିବ ।