କନକ ବ୍ୟୁରୋ : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୬୦ ହଜାର ଟପିଛି କରୋନା ନମୁନା ପରୀକ୍ଷା। ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ନମୁନା ପରୀକ୍ଷା କରାଯାଇଛି। ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ୫୩,୨୯୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ୭,୪୯୦ଟି ଆରଟିପିସିଆର୍ ଓ ୧୨୪ ଟି ଟ୍ରୁନଟ୍ ଟେଷ୍ଟ ପରୀକ୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୯ ହଜାର ୨୧୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା ଗଞ୍ଜାମରେ ୮ହଜାର ୬୪୪ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୮ହଜାର,୮୬୪ ନମୁନା ପରୀକ୍ଷା ହୋଇଛି ।
ସୂଚନାଯୋଗ୍ୟ, ପୂର୍ବ ଦିନ ରାଜ୍ୟରେ ସର୍ବାଧିକ ସଂଖ୍ୟକ କୋଭିଡ୍ ନମୁନା ପରୀକ୍ଷା ହୋଇଥିଲା । ୬୧ହଜାର ୧୬୬ ରାପିଡ୍ ଆଣ୍ଟିଜେନ୍ ଓ ୭୫୮୫ ଆରଟି-ପିସିଆର ନମୁନାକୁ ମିଶାଇ ୬୮୯୦୬ ନମୁନା ପରୀକ୍ଷା କରାଯାଇଥିଲା। ଏଥିରେ ଗଞ୍ଜାମରେ ସର୍ବାଧିକ ୮୫୫୯ ନମୁନା ପରୀକ୍ଷା ହୋଇଥିଲା। ଯାହାଫଳରେ ଗତ ୨୪ଘଣ୍ଟାରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୪.୩୪ ପ୍ରତିଶତକୁ ଖସି ଆସିଥିଲା ।
କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୨ଲକ୍ଷ ଟପିଯାଇଛି। ଲଗାତାର ତିନି ଦିନ ଧରି ରାଜ୍ୟରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି । ଏଣେ ରାଜ୍ୟର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ୧୯ଟି ଜିଲ୍ଲାରେ ଏ ପର୍ୟ୍ୟନ୍ତ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି ।