କନକ ବ୍ୟୁରୋ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜି କଳାଧନ କାରବାର ସଂପର୍କିତ ଏସଆଇଟି ବୈଠକ ଶେଷ ହୋଇଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଟକରେ ଆୟୋଜିତ ବୈଠକରେ କ୍ରାଇମବ୍ରାଞ୍ଚ ଭିଜିଲାନ୍ସ, ସିବିଆଇ, ଆୟକର ବିଭାଗର ମୁଖ୍ୟ ସାମିଲ ହୋଇଥିଲେ । ବୈଠକ ଶେଷ ହେବା ପରେ ଜଷ୍ଟିସ ଅରଜିୟ ପଶାୟତ ପ୍ରତିକ୍ରିୟା ରଖି କହିଛନ୍ତି, ଦେଶରେ ଏବେ ବହୁ ମାତ୍ରାରେ ଡ୍ରଗ୍ସ ଧରାପଡିଛି । ଦେଶର ୫ଟି ରାଜ୍ୟରେ ନିର୍ବାଚନ ସମୟରେ ବହୁ ପରିମାଣର ନିଶା ଦ୍ରବ୍ୟ ଧରାପଡିଛି । ଯାହା ସୂଚାଉଛି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଛି । ଅନେକ ସମୟରେ ଦେଖାଯାଉଛି, ଭୋଟରଙ୍କୁ କ୍ୟାସ ପରିବର୍ତ୍ତେ ଗୋଲ୍ଡ ଗିଫ୍ଟ ଓ ଅନ୍ୟାନ୍ୟ ଆସେଟ୍ ଅନଲାଇନ ଜରିଆରେ ପ୍ରଲୋଭିତ କରାଯାଉଛି । ଶିକ୍ଷାନୁଷ୍ଠାନଗୁଡିକରେ ବିଭିନ୍ନ ଜରିଆରେ ବେଆଇନ ଟଙ୍କା କାରବାର ହେଉଥିବା ନେଇ ବୈଠକରେ ଆଲୋଚନା ହୋଇଛି । ଆଗକୁ କିଭଳି ଏହି କଳାଟଙ୍କା କାରବାରକୁ ରୋକାଯାଇ ପାରିବ ସେନେଇ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଥିବା ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ।