କନକ ବ୍ୟୁରୋ : କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ନେବେ । କିନ୍ତୁ ସମସ୍ତଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଯେଉଁମାନଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ।

Advertisment

ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପୂର୍ବରୁ ହୋଇଥିବା ବୈଠକରେ ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏବେ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଉଛି । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କେବେ ଆରମ୍ଭ କରାଯିବ ସେ ନେଇ ତାରିଖ ଘୋଷଣା ହୋଇନାହିଁ ।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଟିକା ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଟିକା ନେବା ପାଇଁ ଉତ୍ସାହ ବି ଦେଖାଦେଇଛି ।