ଚୀନକୁ ଭାରତର କଡା ଜବାବ । ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଲେ, ଚୀନର କଥା ଓ କାମରେ ରହିଛି ବଡ ଫରକ : ଦେଶ ପାଇଁ ବଡ ପଦକ୍ଷେପ ନେବାକୁ ଭାରତ ଦେବନି ପଛଘୁଂଚା

163

କନକ ବ୍ୟୁରୋ : ସୀମାରେ ପାଟ୍ରୋଲିଂ ଜାରି ରଖିବ ଭାରତ । କୌଣସି ବି ଶକ୍ତି ଭାରତକୁ ଏଥିରୁ ବଂଚିତ କରିପାରିବ ନାହିଁ । ଭାରତ ଚୀନ୍ ସୀମା ସ୍ଥିତି ନେଇ ଆଜି ରାଜ୍ୟସଭାରେ ଏଭଳି ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବର୍ତମାନ ଭାରତ ଓ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ଥିବା ଏଲଏସିରେ ଉତେଜନାମୂଳକ ସ୍ଥିତି ଲାଗି ରହିଛି । ରାଜ୍ୟସଭାରେ ନିଜ ବକ୍ତବ୍ୟରେ ରାଜନାଥ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ପ୍ରତିକୂଳ ସ୍ଥିତି ଭିତରେ ଭାରତୀୟ ସେନା ସୀମା ସୁରକ୍ଷାରେ ଅଛନ୍ତି । ଦୁଇ ଦେଶ ମଧ୍ୟରେ ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରଖିବାକୁ ଉଦ୍ୟମ ଜାରି ରହିଛି । ଦୁଇ ପକ୍ଷ ପୂର୍ବରୁ ହୋଇଥିବା ସମସ୍ତ ଚୁକ୍ତିକୁ ପାଳନ କରିବାର ଆବଶ୍ୟକତା ରହିଛି । କିନ୍ତୁ ଚୀନ୍ ଏହାକୁ ପାଳନ କରୁନାହିଁ ।

ଚୀନ୍ ୧୯୬୩ ମସିହାରୁ ଲଦାଖ କେନ୍ଦ୍ରଶାସିତ ଅଂଚଳର ୩୮ ହଜାର ବର୍ଗ କିଲୋମିଟର ଅଂଚଳ ଅନଧିକାର ଭାବେ ଅକ୍ତିଆର କରି ରଖିଛି । ସେହିପରି ପିଓକେର ସିଆଚୀନ୍ ଅଂଚଳର ୫ ହଜାର ୧୮୦ ବର୍ଗ କିମି ଅଂଚଳ ପାକିସ୍ତାନ ଚୀନ୍ ହାତକୁ ଟେକି ଦେଇଛି । ଭାରତୀୟ ସୀମାକୁ ଅନଧିକାର ଭାବେ ଅକ୍ତିଆର କରିବା ପରେ ୧୯୯୩ ଓ ୧୯୯୬ ମସିହାର ସୀମା ଚୁକ୍ତିକୁ ମଧ୍ୟ ପାଳନ କରୁନି । ବରଂ ଭାରତ ଚୀନ ଭିତରେ କୌଣସି ସୀମା ସ୍ଥିର ହେବା କଥାକୁ ଅସ୍ୱୀକାର କରି ଆସୁଛି । ଗତ ୨୯ ଅଗଷ୍ଟରେ ସୀମାରେ ଚୀନ ସେନା ପକ୍ଷରୁ ଅନଧିକାର ଅନୁପ୍ରବେଶ ଉଦ୍ୟମ ଓ ଗୁଳି ବିନିମୟ ହୋଇଥିଲା ।

ଏହି ଘଟଣା ସ୍ପଷ୍ଟ କରିଛି ଚୀନ୍ ଭାରତ ସହିତ କଥାବାର୍ତା ଭିତରେ ବିବାଦ ସମାଧାନ ଚାହୁଁନାହିଁ । ଅସ୍ଥିରତା ସୃଷ୍ଟି ପାଇଁ ଚୀନ୍ ପକ୍ଷରୁ ବାରମ୍ୱାର ଉଦ୍ୟମ ହୋଇ ଆସୁଛି । ବର୍ତମାନ ଚୀନ୍ ଏହା ପାଶ୍ୱର୍ରେ ବହୁ ସଂଖ୍ୟାରେ ସୈନ୍ୟବଳ ମହଜୁଦ୍ କରିଛି । ଏହାକୁ ଜବାବ ଦେବାକୁ ଭାରତ ମଧ୍ୟ ସୀମାରେ ସୈନ୍ୟ ବଳ ବଢାଇଛି । ସୀମାରେ ଭିତିଭୂମି ବିକାଶ କରି ଚୀନକୁ ଜବାବ ଦେବାକୁ ଭାରତ ସମସ୍ତ ଉଦ୍ୟମ କରୁଥିବା ରାଜ୍ୟସଭାରେ ବକ୍ତବ୍ୟ ରଖିଛନ୍ତି ରାଜନାଥ ସିଂ । ଆବଶ୍ୟକ ହେଲେ ଦେଶ ହିତରେ କୌଣସି ବି ବଡ ପଦକ୍ଷେପ ନେବାକୁ ପଛ ଘୁଂଚା ଦେବନି ବୋଲି ସ୍ପଷ୍ଟ କରିଛନ୍ତି ରାଜନାଥ ।