କନକ ବ୍ୟୁରୋ: ଏପ୍ରିଲ ୧ରୁ ସଂଚୟଜମା ଉପରେ କମିବ ସୁଧହାର । ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ହେବ ଲାଗୁ । ଫଳରେ ସ୍ୱଳ୍ପ ଜମା ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଲାଗିଛି ଝଟ୍କା । ଅର୍ଥ ମନ୍ତ୍ରାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁଧହାର ୧.୧୦ ପ୍ରତିଶତ ଯାଏଁ କମାଇଛନ୍ତି । ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ - ପିପିଏଫ୍ରେ ସୁଧହାରରେ ୭୦ ବେସିସ୍ ପଏଂଟ ହ୍ରାସ କରିଛନ୍ତି । ଫଳରେ ଏହି ସ୍କିମ୍ରେ ସୁଧହାର ୭ ଦଶମିକ ୧ରୁ ଖସି ୬ ଦଶମିକ ୪ ପ୍ରତିଶତ ହୋଇଛି । ଏହା ଗତ ୪୬ ବର୍ଷରେ ସବୁଠୁ କମ୍ ।
ସେହିପରି ୫ ବର୍ଷିୟ ଜାତୀୟ ସଂଚୟ ଯୋଜନାରେ ମିଳୁଥିବା ସୁଧହାରରେ ୯୦ ବେସିସ୍ ପଏଂଟ ହ୍ରାସ କରାଯାଇଛି । ଫଳରେ ପୂର୍ବରୁ ଏହି ସ୍କିମ୍ରେ ମିଳୁଥିବା ସୁଧ ୬ ଦଶମିକ ୮ ହ୍ରାସ ପାଇ ୫ ଦଶମିକ ୯ ହୋଇଛି । ସେହିପରି ଝିଅଙ୍କ ଶିକ୍ଷା ଓ ବିବାହ ପାଇଁ ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନାର ସୁଧହାରରେ ମଧ୍ୟ ବଡଧରଣ ପ୍ରଭାବିତ ହୋଇଛି । ବିଜ୍ଞପ୍ତି ଅନୁସାରେ ୭ ଦଶମିକ ୬ ପ୍ରତିଶତ ଥିବା ବେଳେ ଏଣିକି ଏହା ୬ ଦଶମିକ ୯ ହୋଇଛି ।
ଏକ ବର୍ଷ ଜମାରେ ପୂର୍ବରୁ ୫ ଦଶମିକ୫ ପ୍ରତିଶତ ସୁଧ ମିଳୁଥିବା ବେଳେ ଏଣିକି ଏହା ମାତ୍ର ୪ ଦଶମିକ ୪ ପ୍ରତିଶତ ମିଳିବ । ଅର୍ଥାତ୍ ସୁଧହାରରେ ୧ ଦଶମିକ ୧୦ ପ୍ରତିଶତ ହ୍ରାସ କରାଯାଇଛି । ସେହିପରି ବରିଷ୍ଠ ନାଗରିକଙ୍କ ତ୍ରୟୋମାସିକ ସଂଚୟ ସୁଧହାର ମଧ୍ୟ କମାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହା ୭ ଦଶମିକ ୪ ପ୍ରତିଶତରୁ କମି ୬ ଦଶମିକ ୫ ହୋଇଛି । ଏହା ସହ ଅନ୍ୟ ସମସ୍ତ ସମୟ ଭିତିକ ଜମାରେ ମଧ୍ୟ ସୁଧହାରକୁ କମାଇଛନ୍ତି କେନ୍ଦ୍ର ସରକାର ।