ପରିଣତ ବୟସରେ ଅଲୋଡ଼ା ମା’, ପିଲା ଭୁଲି ଯାଉଛନ୍ତି ମା’ର ତ୍ୟାଗ। ପ୍ରଶାସନ ପାଖରେ ନ୍ୟାୟ ମାଗୁଛି ମମତା

125

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡବିଲା ଗାଁର ୭୨ ବର୍ଷୀୟ ରୁକ୍ମଣୀ ପାତ୍ର । ପୁଅ ଓ ବୋହୂ ମିଶି ମାଆକୁ ଘରକୁ ବାହାର କରିଦେଇଛନ୍ତି । ସବୁଠାରୁ ବଡ କଥା ହେଲା ଶେଷ ଭରସା ଝିଅ ବି ମାଆଙ୍କ ହାତ ଛାଡିଦେଇଛନ୍ତି । ପିଲାମାନେ ଘରୁ ତଡି ଦେବା ପରେ ଗାଁ ଗାଁ ବୁଲି ପଡ଼ିଶାଙ୍କ ପିଣ୍ଡାରେ ଦିନ ରାତି କାଟୁଛନ୍ତି । ହେଲେ ଏବେ ଆଉ ଦେହରେ ବଳ ନାହିଁ, ମାଗିଯାଚି ଖାଇ ପର ପିଣ୍ଡାରେ ଶୋଇବାର ଧୌର୍ଯ୍ୟ ନାହିଁ । ତେଣୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛନ୍ତି ରୁକ୍ମଣୀ । ଏହାର ସମାଧାନ ପାଇଁ ଏନଏସି ନିର୍ବାହୀ ଅଧିକାରୀଙ୍କୁ କହିଛନ୍ତି ଉପଜିଲ୍ଲାପାଳ । ପୁଅ-ଝିଅମାନେ ଏହାର ସମାଧାନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଉପଜିଲ୍ଲାପାଳ ।

ସମାନ କାହାଣୀ ଆସିଛି ରାୟଗଡ଼ା ଗୁଣପୁରରୁ । ଗୁଣୁପୁରର ଶକୁନ୍ତଳା ବିଷୋୟୀ । ବୟସ ୯୨ ବର୍ଷ । ୫ ପୁଅ ଓ ୪ ଝିଅଙ୍କ ମାଆ ଶକୁନ୍ତଳା । ୪ ପୁଅ ବିଭିନ୍ନ ସରକାରୀ ଚାକିରି କରି ଅବସର ନେଇ ସାରିଛନ୍ତି । ସାନ ପୁଅଙ୍କ ପାଖରେ କାମ ନଥିବାରୁ ସେ ଘରେ ବସି ରହିଛନ୍ତି । ଏବେ କେହି ମା’ଙ୍କୁ ପାଖରେ ରଖିବାକୁ ଚାହୁଁନାହାନ୍ତି । ମାଆଙ୍କ ଯତ୍ନ ନେବାକୁ ସମସ୍ତେ ନାରାଜ । ଦୁଇ ଓଳି ଦୁଇ ମୁଠା ଦାନା ଓ ଆଶ୍ରୟ ଦେବା ପାଇଁ ପୁଅମାନେ ଅରାଜି ହେବାରୁ ରାୟଗଡା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶକୁନ୍ତଳା । ସେପଟେ ଶକୁନ୍ତଳାଙ୍କ ତିନି ପୁଅ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ବଡ଼ ପୁଅ ସମସ୍ତ ଜମି ଜବରଦଖଲରେ ରଖିଥିବାରୁ ସେମାନେ ମା’ଙ୍କୁ ରଖୁନଥିବା କହିଛନ୍ତି ।

ଏଇ ଦୁଇ ଜଣ ମାଆ ନୁହଁନ୍ତି, ଏମିତି ଅନେକ ମାଆ-ବାପାଙ୍କ କାହାଣୀ ଆସୁଛି । ଏଠାରେ ବଡ଼ କଥା ହେଉଛି, ପିଲାମାନେ ବାହାସାହା ହୋଇ ସଂସାର କଲେ ନିଜ ନିଜର ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି, କେହି ବି ନିଜ ମା’ଙ୍କ ଦୁଃଖକୁ ବୁଝୁନାହାନ୍ତି । ପରିଣତ ବୟସରେ ଜଣେ ମା’ର କ’ଣ ଚାହୁଁଛି, ତାହା ଜାଣିବାକୁ କେହି ଚାହୁଁନାହାନ୍ତି ।