ଅଟୋରେ ପାନ ଦୋକାନ: ସକାଳେ ଅଟୋରେ ପିଲାଙ୍କୁ ସ୍କୁଲରେ ଛାଡି ସଂଧ୍ୟାରେ ଚଳାଉଛନ୍ତି ପାନ ଦୋକାନ

71

କନକ ବ୍ୟୁରୋ: ଅଟୋ ରିକ୍ସାରେ ପାନ ଦୋକାନ, ଗୋପ ବଜାର ଭାଙ୍ଗିଲା ପରେ ବଞ୍ଚିବା ଦୃର୍ବିସହ ହୋଇ ପଡ଼ିଛି । ପରିବାର ଚଳାଇବା ପାଇଁ ବାଧ୍ୟରେ ଯେଉଁ କିଛି ଘଣ୍ଟା ପାଉଛି ସେଥିରେ ତେଲ ଲୁଣର ସଂସାର ଲାଗି ଅଟୋ ରିକ୍ସା ଉପରେ ପାନ ଦୋକାନ କରୁଛି ବୋଲି କହିଛନ୍ତି ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ବରପୁର ପଞ୍ଚାୟତ ବେଣୀପୁର ଗ୍ରାମର ଜଟାଧାରୀ ରାଉତ। ଜଟାଧାରୀଙ୍କ ପରିବାର କହିଲେ ଦୁଇପୁଅ, ଗୋଟିଏ ଝିଅ ସହିତ ପତ୍ନୀ ଓ ୭୦ ବର୍ଷୀୟା ବିଧବା ବୃଦ୍ଧା ମା । ଘରେ ୧୭ ବର୍ଷୀୟା ଭିନ୍ନକ୍ଷମ ପୁଅ ଲାଗି ସର୍ବସ୍ୱ ହରାଇବା ପରେ ଏବେ ଖାଇବାକୁ ଦି ମୁଠା ମିଳିବା କଷ୍ଟକର ହୋଇପଡୁଛି । ଜଟାଧାରୀ ସକାଳ ବେଳା ଋଣକରି ଆଣିଥିବା ଅଟୋ ରିକ୍ସାରେ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ନେଇ କିଛି ଟଙ୍କା ଭଡା ଆକାରରେ ପାଉଥିବା ବେଳେ ଗୋଟିଏ ପାନ ଦୋକାନ କରି ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ୧୫ ଦିନ ତଳେ ଗୋପ ତହସିଲ ଅଫିସ ପକ୍ଷରୁ ଉଚ୍ଛେଦ ହେବା ପରେ ଦୋକାନ ଭାଙ୍ଗି ଯାଇଛି ।

ବାଧ୍ୟରେ ବଞ୍ଚିବା ପାଇଁ ରାସ୍ତା କଡ଼ରେ ଅଟୋ ରିକ୍ସା ଉପରେ ପାନ ଦୋକାନଟିଏ କରିଛି ବୋଲି ଅତ୍ୟନ୍ତ ଦୁଃଖ ଭରା କଣ୍ଠରେ କହିଛନ୍ତି ଜଟାଧାରୀ। ଜଟାଧାରୀଙ୍କ ବଡ଼ପୁଅ କଲେଜରେ ପଢୁଥିବା ବେଳେ ଝିଅଟି ନବମ ଶ୍ରେଣୀରେ ପଢ଼ୁଛି ୧୭ ବର୍ଷର ମଝିଆ ପୁଅ ଜନ୍ମରୁ ଦିବ୍ୟଙ୍ଗ।। ସରକାରୀ ସହାୟତା କହିଲେ ସାତସପନ ହୋଇ ପଡ଼ିଛି। ଆବାସ ଯୋଜନା ଗୃହ, ପାଇଖାନା ସହିତ ଅନ୍ୟାନ୍ୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛି । ଏପରି କି ଭିନ୍ନକ୍ଷମ ୧୭ ବର୍ଷର ପୁଅକୁ କେବଳ ଭତ୍ତା ମିଳୁଥିବା ବେଳେ ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ରାସନକାର୍ଡରେ ଚାଉଳ ମିଳୁନାହିଁ । ସବୁ ସମୟରେ ପରିବାର ମୁହଁରେ ମୁଠାଏ ଦାନା ଦେବା ପାଇଁ ସଂଘର୍ଷ କରିବାକୁ ପଡୁଛି ବୋଲି କହିଛନ୍ତି ଜଟାଧାରୀ। ଯଦି ମୋ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନା ଗୃହ, ପାଇଖାନା ସହିତ ସରକାରୀ ସହାୟତା ମିଳନ୍ତା ତାହେଲେ ସମାଜରେ ଶାନ୍ତିରେ ବଞ୍ଚି ପାରନ୍ତି ବୋଲି କହିଛନ୍ତି ପତ୍ନୀ ଅର୍ଣ୍ଣପୂର୍ଣ୍ଣା।