ଚାଷୀଙ୍କ ପାଇଁ ବିଜେଡି-ବିଜେପି ମୁହାଁମୁହିଁ: ବୈଠକରେ ନେତାଙ୍କ ମଧ୍ୟରେ କଥା କଟାକଟି

62

କନକ ବ୍ୟୁରୋ: ନିର୍ବାଚନକୁ ପ୍ରାୟ ୫ ମାସ ବାକି ରହିଛି । ଏପରି ସମୟରେ ସମ୍ବଲପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ବିଜେଡି-ବିଜେପିର ରାଜନୀତି ରୋଚକ ମୋଡ ଆଣିଥିଲା । ଚାଷୀଙ୍କ ପାଇଁ ହେଉଥିବା ବୈଠକରେ ଚାଷୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଇ ଉଭୟ ବିଜେଡି ଓ ବିଜେପି ବିଧାୟକ କଥା କଟାକଟି ହୋଇଛନ୍ତି । ବିଜେପି ବିଧାୟକ ନାଉରୀ ନାୟକ ପ୍ରଥମେ କଟନୀଛଟନୀ ପ୍ରସଙ୍ଗ ଉଠାଇଥିଲେ । ଜବାବରେ କୁଚିଣ୍ଡା ମାଟିକୁ ବଦନାମ କରି ଏଠାରେ ରାଜନୀତି କରାଯାଉଥିବା କହି ଯୁକ୍ତିତର୍କ କରିଥିଲେ କୁଚିଣ୍ଡା ବିଧାୟକ । ଏହାପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି-ବିଜେପି ବିଧାୟକ ।

ଚାଷୀ ପ୍ରସଙ୍ଗ ଉଠାଇ ଆକ୍ଷେପ-ପ୍ରତିଆକ୍ଷେପ ଭିତରେ ନେତା ଭୁଲି ଯାଇଥିଲେ, ଏହା ସରକାରୀ କାର୍ଯ୍ୟକ୍ରମ । ଏହାଦେଖି ବୈଠକରେ ସାମିଲ ଚାଷୀ ଚାଷ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆଉ ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ହୋଇ ଆସନ୍ତା ୨୨ରୁ ମଣ୍ଡି ଖୋଲି ଖରିଫ ଧାନ ସଂଗ୍ରହ ପାଇଁ ନିଷ୍ପତି ନିଆଯାଇଛି । ସମ୍ବଲପୁର ଜିଲ୍ଲପାଳଙ୍କ କନଫରେନ୍ସ ହଲରେ ଆୟୋଜିତ ଜିଲ୍ଲାସ୍ତରୀୟ ଧାନକିଣା ପ୍ରସ୍ତୁତି ବୈଠକରେ ବିଜେଡି-ବିଜେପିର ରାଜନୀତିକୁ ବିଭିନ୍ନ ମହଲ ନାପସନ୍ଦ କରିଛନ୍ତି ।