ପ୍ରତିଦିନ ରାଜ୍ୟରେ ଭାଙ୍ଗୁଛି କରୋନା ରେକର୍ଡ । ଗତ ୨୪ ଘଂଟାରେ ୩୬୮୨ ନୂଆ ଆକ୍ରାନ୍ତ : ରାୟଗଡ଼ା ଓ ଗୁଣୁପୁର ଜେଲରେ ୨୧୮ କଏଦୀ କରୋନା ପଜିଟିଭ

931

କନକ ବ୍ୟୁରୋ : ସକ୍ରୀୟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରେ ଭାରତ ବର୍ତମାନ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ । ଏହି ତାଲିକାର ଶୀର୍ଷରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୧୪ ହଜାରରୁ ଅଧିକ ରହିଥିବା ବେଳେ ଭାରତରେ ଏହି ସଂଖ୍ୟା ୭ ଲକ୍ଷ ୪୫ ହଜାର ୪୫୦ ବୋଲି ୱାର୍ଲ୍ଡ କରୋନା ମିଟର ସୂଚନା ଦେଇଛି ।

ଗତ ୨୪ ଘଂଟାରେ ଓଡିଶାରେ ମୋଟ ୩୬୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୧୧ଟି ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ଶହେରୁ ଅଧିକ କରୋନା ରୋଗୀ । ପୂର୍ବରୁ ଗଂଜାମ ଓ ଗଜପତିକୁ ନେଇ ପ୍ରଶାସନ ଚିନ୍ତିତ ଥିବା ବେଳେ ଏବେ ଚିନ୍ତା ବଢାଉଛନ୍ତି ଖୋର୍ଦ୍ଧା, କଟକ, ରାୟଗଡା ଓ ମୟୂରଭଂଜ ପରି ଜିଲ୍ଲା । ଗତ ୨୪ ଘଂଟା ଏହି ଚାରି ଜିଲ୍ଲାରେ ମୋଟ ୧୯୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତାହା ରାଜ୍ୟର ନୂଆ ଆକ୍ରାନ୍ତଙ୍କ ୫୨ ପ୍ରତିଶତ ।

ରାୟଗଡା ଜିଲ୍ଲାର ନୂଆ ୪୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୨୧୮ ଜେଲ ଅନ୍ତେବାସୀ ରହିଛନ୍ତି । ସେଥିମଧ୍ୟରୁ ରାୟଗଡା ସବଜେଲରେ ୫ ଜେଲକର୍ମଚାରୀ ଓ ୧୫୨ ଜଣ ବିଚାରାଧୀନ କଏଦୀ ରହିଥିବା ବେଳେ ଗୁଣୁପୁର ସବଜେଲରେ ୬୧ ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସେପଟେ ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖରୁ ଝାରସୁଗୁଡାରେ ୭ ଦିନିଆ ସଟଡାଉନ ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।