ଭାରତ-ଚୀନ ବିବାଦ ମଧ୍ୟରେ ଲଦାଖ ଗଲେ ସେନାମୁଖ୍ୟ : କଲେ ସ୍ଥିତିର ସମୀକ୍ଷା, ପେଙ୍ଗମ ହ୍ରଦ ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ସେନା; ଦୁଇ ଦିନ ଧରି ଚାଲିଛି ଉଚ୍ଚସ୍ତରୀୟ ବୈଠକ

268

କନକ ବ୍ୟୁରୋ : ଭାରତ ଚୀନ ସୀମା ବିବାଦ ଭିତରେ ଆଜି ଲଦାଖ ଗସ୍ତ କରିଛନ୍ତି ସ୍ଥଳ ସେନା ମୁଖ୍ୟ ଏମଏମ ନରବଣେ । ଏହି ଗସ୍ତ କାଳରେ ସ୍ଥଳ ସେନାମୁଖ୍ୟ ଦକ୍ଷିଣ ପୋଙ୍ଗୋଙ୍ଗ୍ ଅଂଚଳ ଏବଂ ଏହାର ନିକଟବର୍ତି ସ୍ଥାନର ସ୍ଥିତି ନିରୀକ୍ଷଣ କରିବେ । ଗତ ଜୁନ୍ ମାସରୁ ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ଉତେଜନା ଲାଗି ରହିଛି । ଭାରତ ଗତ କିଛି ଦିନ ଧରି ଚୀନର ଏଲଏସିରେ ଅନୁପ୍ରବେଶକୁ ବାରମ୍ୱାର ବିଫଳ କରି ଆସୁଛି । ଏହା ପରେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଲଦାଖ ଗସ୍ତ କରିଛନ୍ତି । ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲରେ ଚୀନର ପ୍ରତ୍ୟକ ଚାଲକୁ ମୁହଁତୋଡ ଜବାବ ଦେଉଛି ଭାରତୀୟ ସେନା । ଏହି ସମୟରେ ସ୍ଥଳସେନା ମୁଖ୍ୟଙ୍କ ଲଦାଖ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏଲଏସିକୁ ନେଇ ଦେଶ ମଧ୍ୟରେ ଉତେଜନା ଭିତରେ ଚୁସୁଲରେ ଭାରତ ଓ ଚୀନ୍ ବ୍ରିଗେଡିୟର କମାଣ୍ଡର ସ୍ତରୀୟ ବୈଠକ ବି ଚାଲିଛି ।

ଶେଷ ଖବର ସୁଦ୍ଧା ଭାରତୀୟ ସେନା ଉତର ପୋଙ୍ଗଙ୍ଗ୍ ର ଫିଙ୍ଗର ୪ ଅଂଚଳକୁ ନିଜ କବଜାରେ ନେଇସାରିଛି । ଗତ ଜୁନ୍ ମାସ ପରେ ଏହି ଅଂଚଳ ପ୍ରଥମ ଥର ପାଇଁ ଭାରତ ନିୟନ୍ତ୍ରଣକୁ ଆସିଛି । ଚୀନ୍ ସୈନ୍ୟ ପୋଷ୍ଟ ଏହି ଫିଙ୍ଗର ୪ ଅଂଚଳ ପାଖରେ ରହିଛି । ଚୀନ୍ ପୋଷ୍ଟ ଠାରୁ ଭାରତୀୟ ସେନା ମାତ୍ର କିଛି ମିଟର ଦୂରରେ ପହଁଚି ଥିବା ସୂଚନା ମିଳିଛି । ଗତ ଅଗଷ୍ଟ ୨୯ ତାରିଖରେ ପୋଙ୍ଗଙ୍ଗ୍ ହ୍ରଦର ଦକ୍ଷିଣ ପାଶ୍ୱର୍ରେ କିଛି ସନ୍ଦିଗ୍ଧ ଗତିବିଧି ପ୍ରଥମେ ଠାବ କରିଥିଲା ଭାରତୀୟ ସେନା ।