ଆଜି ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ : ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା

୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ କ୍ୱିୱି ଟିମ୍

75

କନକ ବ୍ୟୁରୋ : ଆଜି ଟି-୨୦ ବିଶ୍ୱକପରେ ଖେଳାଯିବ ପ୍ରଥମ ସେମିଫାଇନାଲ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା । ୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ତେଣୁ ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇପାରେ । ନ୍ୟୁଜିଲାଣ୍ଡ ଟିମର ଖେଳାଳିମାନେ ଫର୍ମରେ ଅଛନ୍ତି । ପେସ୍ ବୋଲର ଟ୍ରେଂଟ ବୋଲ୍ଟ ସୁପର-୧୨ ରାଉଣ୍ଡରେ ସର୍ବାଧିକ ୧୧ଟି ୱିକେଟ୍ ନେଇଛନ୍ତି । ଟିମ୍ ସାଉଦି ମଧ୍ୟ ଭଲ ଫର୍ମରେ ଅଛନ୍ତି ।

ଅନ୍ୟପଟେ ଇଂଲଣ୍ଡ ଆହତ ସମସ୍ୟା ଦେଇ ଗତି କରୁଛି । ପେସ୍ ବୋଲର ତିମାଲ ମିଲ୍ସ ଏବଂ ଓପନିଂ ବ୍ୟାଟ୍ସମ୍ୟାନ୍ ଜାସନ୍ ରୟ ଆହତ ହୋଇ ବାଦ ପଡ଼ିଛନ୍ତି । ଏହା ବାଦ୍ ବି ନ୍ୟୁଜିଲାଣ୍ଡକୁ ହରାଇବା ପାଇଁ ଇଂଲଣ୍ଡ ନିକଟରେ କ୍ଷମତା ରହିଛି । ଟି-୨୦ ଫର୍ମାଟରେ ଉଭୟ ଦଳ ପରସ୍ପରକୁ ୨୧ ଥର ଭେଟିଛନ୍ତି । ଏଥିରୁ ଇଂଲଣ୍ଡ ୧୨ଟି ମ୍ୟାଚ୍ ଜିତିଥିବା ବେଳେ ୭ଟି ମ୍ୟାଚରେ ପରାଜିତ ହୋଇଛି । ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡର ମଧ୍ୟକ୍ରମ ଅଣପରୀକ୍ଷିତ ରହିଛି । ମାତ୍ର ୩ ଜଣ ବ୍ୟାଟର୍‌ ୬୦ରୁ ଊର୍ଧ୍ବ ବଲ୍ ଖେଳିଛନ୍ତି‌ । ସେମାନଙ୍କ ମଧ୍ୟରୁ ଜାସନ୍ ରୟ ବାଦ୍ ପଡ଼ିଛନ୍ତି । ନ୍ୟୁଜିଲାଣ୍ଡ୍‌ ବୋଲରମାନେ ଏଥିରୁ ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି । ୟୁଏଇ‌ ପରିବେଶରେ ବେଶ କିଛି ଦିନ ଖେଳି ଆସୁଥିବା ମୋଇନ୍ ଅଲୀ ଇଂଲଣ୍ଡର ଭରସା ରହିବେ ।

ସ୍ପିନରଙ୍କ ବିପକ୍ଷରେ ସେ ଭଲ ଖେଳୁଥିବାରୁ ଈଶ ସୋଢ଼ି ଏବଂ ମିଚେଲ୍ ସାଣ୍ଟନର୍‌ଙ୍କୁ ଟାର୍ଗେଟ୍ କରିପାରନ୍ତି । ଦାୱିଦ ମଲାନ ମନ୍ଥର ଆରମ୍ଭ କରୁଥିଲେ ମଧ୍ୟ ଇଂଲଣ୍ଡ ତାଙ୍କଠାରୁ ଏକ ବଡ଼ ପାଳି ଆଶା ରଖିଛି । ଟାଇମଲ୍ ମିଲ୍ସ ଆହତ ଥିବାରୁ ଇଂଲଣ୍ଡ ଡେଥ୍‌ ବୋଲିଂ ଦୁର୍ବଳତାରୁ ମଧ୍ୟ ନ୍ୟୁଜିଲାଣ୍ଡ୍‌ ଫାଇଦା ଉଠାଇବା ବିଶ୍ବାସ କରାଯାଉଛି । ପାୱାର୍‌ ପ୍ଲେ ଭିତରେ ଇଂଲଣ୍ଡ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ୮.୩୩ ହାରରେ ବ୍ୟାଟିଂ କରିଛି। କିନ୍ତୁ ଆବୁଧାବିରେ ଇଂଲଣ୍ଡ ପ୍ରଥମ ଥର ଖେଳିବାକୁ ଯାଉଥିବାରୁ ସିମରଙ୍କୁ ସୁହାଉଥିବାରୁ ଏହି ସମୟରେ ଦଳର ବୋଲରମା‌ନେ ପ୍ରଭାବ ପକାଇବେ ବୋଲି ବିଶ୍ବାସ କରାଯାଉଛି । ନ୍ୟୁଜିଲାଣ୍ଡ ମଧ୍ୟ ନିଜର ଶେଷ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଏହିଠାରେ ଖେଳିଥିବାରୁ ଅଭ୍ୟସ୍ତ ହୋଇଛି । ଇଂଲଣ୍ଡର ପଞ୍ଚମ ବୋଲର ଦୁର୍ବଳତାରୁ ନ୍ୟୁଜିଲାଣ୍ଡ୍‌ ବ୍ୟାଟର୍‌ ମଧ୍ୟ ଟାର୍ଗେଟ୍ କରିପାରନ୍ତି ।

ଇଂଲଣ୍ଡ ବିପକ୍ଷରେ ଈଶ ସୋଢ଼ୀଙ୍କ ଦୁର୍ବଳ ପ୍ରଦର୍ଶନ ଥିବାରୁ କେନ୍ ୱିଲିୟମସନ୍ ଚିନ୍ତିତ ଅଛନ୍ତି। ଇଂଲଣ୍ଡ ପାଇଁ ଅଧିନାୟକ ଇଅନ୍ ମୋର୍ଗାନଙ୍କ ଫର୍ମ ମଧ୍ୟ ଚିନ୍ତାର କାରଣ ହୋଇଛି । ୨୦୧୯ ଏବଂ ୨୦୨୦ ଭଳି ଶ୍ରେଷ୍ଠ ସମୟରେ ସେ ନାହାନ୍ତି। ଚଳିତ ବର୍ଷ ସେ ମାତ୍ର ୧୭.୫୯ ହାର ଏବଂ ୧୧୮ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରୁଥିବାରୁ ନିଜ ସ୍ବାଭାବିକ‌ ଖେଳଠାରୁ ଦୂରରେ ରହିଛନ୍ତି । ଇଂଲଣ୍ଡର ଦୁଇ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମସନ୍‌ ଚିନ୍ତିତ ଅଛନ୍ତି । ‘ଇଂଲଣ୍ଡ୍‌ ବେଶ କିଛି ଦିନ ଧରି ଭଲ ଖେଳି ଆସୁଛି, ଦଳର ବ୍ୟାଟିଂ ଗଭୀରତା ଥିବାରୁ ଆମେ ନିଶ୍ଚିତରେ ରହିବା ଭୁଲ କଥା । ଆମେ ଆମ ସାମର୍ଥ୍ୟ ଅନୁସାରେ ଖେଳିବୁ’ ବୋଲି ୱିଲିୟମସନ୍‌ ପ୍ରକାଶ କରିଛନ୍ତି। ଆବୁଧାବିର ପିଚ୍‌ ଓ ପରିବେଶ ସହିତ ନ୍ୟୁଜିଲାଣ୍ଡ୍‌ ଖେଳାଳି ଅଭ୍ୟସ୍ତ ହୋଇସାରିଥିବାରୁ ଆଇପିଏଲ୍‌କୁ ମଧ୍ୟ ୱିଲିୟମସନ୍‌ ଶ୍ରେୟ ଦେଇଥିଲେ ।