କରୋନା ଟିକାକରଣରେ ଇତିହାସ ରଚିବ ଭାରତ  । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଦିଆଯିବ ଭ୍ୟାକସିନ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ 

229

କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଏକ ବିରଳ ଇତିହାସ ରଚିବା ପାଇଁ ଆରମ୍ଭ ହୋଇଛି କସରତ୍ । ପ୍ରକୃତ ଟିକା ଦିଆଯାଉନି, ହେଲେ ଟିକାକରଣର ସବୁ ପ୍ରକ୍ରିୟା ସଂପାଦନ କରାଯାଉଛି । କରୋନା ବିରୋଧୀ ଲଢ଼େଇ ଏକ ନିର୍ଣ୍ଣାୟକ ମୋଡରେ ପହଁଚିଥିବା ବେଳେ କୋଟି କୋଟି ଲୋକଙ୍କ ଟିକାକରଣ ପାଇଁ ସାରା ଦେଶରେ ହୋଇଛି ଡ୍ରାଏ ରନ୍ ବା ପ୍ରାକ୍ ଅଭ୍ୟାସ । ବିଶାଳ ଜନସଂଖ୍ୟାର ଟିକାକରଣ ପୂର୍ବରୁ ଭାରତରେ ହୋଇଛି ଟିକା ପାଇଁ ଦୁନିଆର ସବୁଠୁ ବଡ଼ ମକଡ୍ରିଲ୍ ।

ଦିଲ୍ଲୀର ଗୁରୁ ତେଗ୍ ବାହାଦୂର ହସପିଟାଲକୁ ଯାଇ ଡ୍ରାଏରନ୍ର ତଦାରଖ କରିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ମିଶାଇ ପ୍ରାଥମିକ ପର୍ଯ୍ୟାୟରେ ୩ କୋଟି ଲୋକଙ୍କର ଟିକାକରଣ ହେବ ।

ଓଡିଶାରେ କ୍ୟାପିଟାଲ ହସ୍ପିଟାଲ ସମେତ ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ୍ ଅଭ୍ୟାସ କରାଯାଇଛି । ସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ଡ୍ରାଏ ରନ୍ ଚାଲିଥିଲା । ଟିକା ଆସିବା ପରେ କିପରି ଟିକା ଦିଆଯିବ, ପୂରା ପ୍ରକ୍ରିୟାର ମକ୍ ଡ୍ରିଲ୍ କରାଯାଇଛି । ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣ ଉପସ୍ଥିତ ରହିଥିବା ବେଳେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥିରେ ସାମିଲ କରାଯାଇଛି ।

ଯେଉଁ ବ୍ୟବସ୍ଥା ଭିତରେ ଟିକାକରଣ ହେବ, ତା’ର ଅବିକଳ ଅଭ୍ୟାସ କରାଯାଇଥିଲା । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଗୋଟିଏ ବିଶ୍ରାମ ଗୃହ, ଟିକାକରଣ ଗୃହ ଓ ଗୋଟିଏ ନିରୀକ୍ଷଣ ଗୃହ ରହିଥିବା ବେଳେ ଟିକା ନେବା ପରେ ଅଧଘଂଟା ପାଇଁ ନିରୀକ୍ଷଣରେ ରଖାଯିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଡ୍ରାଏ ରନ୍ ସମୟରେ କୋଭିଡର ସମସ୍ତ ନିୟମ ପାଳନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡି କର୍ମୀ ଆଦି କରୋନା ଟିକା ନେବେ । ଟିକାକରଣ ପାଇଁ ୩ ଲକ୍ଷ ୭୦ ହଜାର ଲୋକଙ୍କ ନାଁ ତାଲିକାଭୁକ୍ତ ହୋଇଛନ୍ତି । ଟିକା ନେବା ପାଇଁ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି କିଛି ସ୍ୱାସ୍ଥ୍ୟ କର୍ମୀ ।

ସିରମ୍ ଇନଷ୍ଟିଚ୍ୟୁଟ୍ ନିର୍ମାଣ କରୁଥିବା କରୋନା ଟିକା କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ ପ୍ୟାନେଲ ସୁପାରିସ୍ କରିବା ଓ ଟିକାକରଣ ପାଇଁ ବିଶ୍ୱର ସବୁଠୁ ବଡ଼ ମକ୍ ଡ୍ରିଲ୍ ହେବା ପରେ ଏବେ ଅପେକ୍ଷା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ସବୁଜ ସଂକେତକୁ ।