ରାଜ୍ୟରେ ଉପନିର୍ବାଚନ ବିଗୁଲ । ବାଲେଶ୍ୱର ସଦର ଓ ତିର୍ତୋଲ ପାଇଁ କରୋନା କଟକଣା ଭିତରେ ନଭେମ୍ବର ୩ ହେବ ଭୋଟ, ପ୍ରକାଶ ପାଇଲା ବିଜ୍ଞପ୍ତି

160

କନକ ବ୍ୟୁରୋ : କନକ ବ୍ୟୁରୋ : ବାଲେଶ୍ୱର ସଦର ଏବଂ ତିର୍ତୋଲ ବିଧାନସଭା ଆସନ ପାଇଁ ବାଜିଲା ନିର୍ବାଚନ ବିଗୁଲ୍ । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଉପ-ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି ।

ଆଜି ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଛୁଟି ଦିନ ବ୍ୟତୀତ ଅକ୍ଟୋବର ୧୬ ତାରିଖ ନାମାଙ୍କନ ଦାଖଲ ଚାଲିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ପ୍ରାର୍ଥୀ ପତ୍ର ୧୭ ତାରିଖରେ ଯାଂଚ ହେବ । ୧୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ନଭେମ୍ୱର ୩ ତାରିଖରେ ଭୋଟ୍ ପଡିବ । ନଭେମ୍ୱର ୧୦ ତାରିଖରେ ହେବ ଭୋଟ୍ ଗଣତି । ସେପଟେ ଉପନିର୍ବାଚନ ପାଇଁ ସାଂବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

କରୋନା କଟକଣା ମଧ୍ୟରେ ହେବ ଭୋଟ୍ ଗ୍ରହଣ । ବୁଥ ଗୁଡିକରେ ମାସ୍କ ଓ ଗ୍ଲୋବସ୍ ପିନ୍ଧି ଭୋଟ୍ ଦେବେ ଭୋଟର । ମାସ୍କ ପିନ୍ଧିନଥିଲେ ବୁଥରେ ଭୋଟରଙ୍କୁ ମାସ୍କ ଦିଆଯିବ । ଉପନିର୍ବାଚନରେ ଘରେ ଥାଇ ଭୋଟ୍ ଦେଇ ପାରିବେ କରୋନା ସଂକ୍ରମିତ ଓ ବୟସ୍କ ବ୍ୟକ୍ତି । ଭୋଟ୍ ଗ୍ରହଣ ତାରିଖ ୩ ତାରିଖ ଆଗରୁ କରୋନା ସଂକ୍ରମିତ ବ୍ୟକ୍ତି, ବୟସ୍କ ବ୍ୟକ୍ତି ଓ ଯେଉଁମାନେ ସଂଗରୋଧରେ ଅଛନ୍ତି ସେମାନେ ବାଲଟ ପେପରରେ ଘରେ ଥାଇ ଭୋଟ୍ ଦେଇପାରିବେ । ଡିଏଲଓ ମାନେ ଘରକୁ ଯାଇ ବାଲଟ ପେପରରେ ଭୋଟ୍ ସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟନିର୍ବାଚନ ଅଧିକାରୀ ।