ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଳକଷ୍ଟ, ପାଣି ଅଭାବରୁ ଅଗାଧୁଆ ରୁହନ୍ତି ଗ୍ରାମବାସୀ ।

158

କନକ ବ୍ୟୁରୋ: ଅସହ୍ୟ ଖରା ସାଙ୍ଗକୁ ଜଳ କଷ୍ଟ ଏବେ କଲବଲ କଲାଣି । ଖରାପ୍ରଭାବରେ ନାଳ ଗାଡିଆ ଓ ଝରଣା ସୁଖିଯିବା ପରେ ଉପଉନ୍ତ ଗାଁ ରେ ଦେଖିବାକୁ ମିଳିଛି ଜଳ ଯନ୍ତ୍ରଣା । ପିଇବା ଓ ଗାଧେଇବା ପାଇ ଲୋକେ କରୁଛନ୍ତି ସଂଘର୍ଷ । ଦିର୍ଘ ସମୟ ଅପେକ୍ଷା କରି ନେଉଛନ୍ତି ପିଇବା ପାଣି ଟୋପାଏ । ଏପରି ଜଳ କଷ୍ଟ ଭୋଗୁଛନ୍ତି ଗଂଜାମ ଧରାକୋଟ ବ୍ଲକ ବାହାରପୁର ଗ୍ରାମପଂଚାୟତ ଅର୍ନ୍ତଗତ ଖଜୁରିଆପଦା ଉପଉନ୍ତ ଗାଁର ଲୋକେ ।

ଜଳାଭାବ ଯୋଗୁଁ ଅନେକ କଷ୍ଟ ସହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଉପାନ୍ତ ଗ୍ରାମବାସୀ । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଖଜୁରିଆପଦା ଗାଁରେ ଲୋକଙ୍କୁ ଆବଶ୍ୟକୀୟ ପାଣି ମିଳୁନାହିଁ । ପିଇବାକୁ ତ ମିଳୁନି, ଗାଧୁଆ ପାଧୁଆ କରିବାକୁ ମଧ୍ୟ ପୋଖରୀ ଗାଡିଆରେ ବି ପାଣି ନାହିଁ । ତେଣୁ ଖରା ଦିନେ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ପିଲାଠୁ ବଡ ଲୋକ ଦିନେ ଗାଧେଇଲେ ୪ ଦିନ ଅଗାଧୁଆ ରହୁଛନ୍ତି ।

ଖଜୁରିଆପଦା ଗାଁରେ ୪୦ଟି ପରିବାର ବାସ କରନ୍ତି । ଗ୍ରାମବାସୀଙ୍କୁ ପାଣି ଯୋଗାଇବା ପାଇଁ ମାତ୍ର ଗୋଟିଏ ନଳକୂପ ଅଛି । ସେଥିରୁ ଯେତିକି ପାଣି ବାହାରୁଛି ସେଥିରେ ଲୋକଙ୍କ ଶୋଷ ମେଂଟୁନାହିଁ । ଗାଁର ପ୍ରତି ଘରକୁ ସବୁ ଦିନ ପାଣି ମିଳୁନାହିଁ । ଲୋକମାନେ ପାଳି କରି ପାଣି ସଂଗ୍ରହ କରୁଥିବା କହିଛନ୍ତି । ବର୍ଷ ବର୍ଷ ଧରି ଗାଁରେ ଜଳ ସମସ୍ୟା ଲାଗି ରହିଥିଲେ ସୁଦ୍ଧା ପ୍ରଶାସନ କି ସ୍ଥାନୀୟ ଜନପ୍ରତିନିଧି ଏହାର ସମାଧାନ ଲାଗି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।